ୟୁକ୍ରେନ୍‌ରେ ଫସିଛନ୍ତି ୧୦ରୁ ଅଧିକ ବାଲେଶ୍ବରର ଛାତ୍ର, ଚିନ୍ତା‌ରେ ପରିବାରବର୍ଗ, ଉଦ୍ଧାର ପାଇଁ ଆକୁଳ ନିବେଦନ

ବାଲେଶ୍ବର : ୟୁକ୍ରେନ୍‌-ଋଷ ଦେଶ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଆଉ ଏହାରି ଭିତରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ଅବସ୍ଥାରେ ନିଜ ଦେଶକୁ ଫେରିବେ ସେନେଇ ସେମାନଙ୍କ ପରିବାର ଚିନ୍ତାରେ ରହିଥିବା ବେଳେ ଭାରତ ସରକାର ପ୍ରୟାସ ଜାରି ରଖିଛନ୍ତି। ଦୁଇଦେଶ ମଧ୍ୟରେ ପରିସ୍ଥିତି ଦିନକୁ ଦିନ ଜଟିଳ ଆଡ଼କୁ ଗତି କରୁଥିବା ବେଳେ ସେଠାରେ ରହି ଡାକ୍ତରୀ ପଢ଼ୁଥିବା ବାଲେଶ୍ବର ଜିଲ୍ଲାର ପ୍ରାୟ ୧୦ରୁ ଅଧିକ ଛାତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ଜିଲ୍ଲା ପ୍ରଶାସନ ତଥା ଓଡ଼ିଶା ଏବଂ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

ବାଲେଶ୍ବର ସଦର ଥାନା ଅଧୀନ କୁରୁଡ଼ା ପଞ୍ଚାୟତ ହରିଡ଼ା ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ତ୍ରିଲୋଚନ ପରିଡ଼ାଙ୍କ ବଡ଼ ପୁଅ ଗୌରୀଶଙ୍କର ପରିଡ଼ା ଏବଂ ଗଗନ ବୁଗୁଡ଼େଇଙ୍କ ପୁଅ ତପନ ବୁଗୁଡ଼େଇ ୟୁକ୍ରେନ୍‌ରେ ରହି ଡାକ୍ତରୀ ଶିକ୍ଷା ଅଧ୍ୟୟନ କରୁଛନ୍ତି। ଗୌରୀଶଙ୍କରଙ୍କର ଏମବିବିଏସ୍‌ରେ ଏବେ ଶେଷବର୍ଷ ଚାଲିଥିବା ବେଳେ ତପନଙ୍କ ଚତୁର୍ଥ ବର୍ଷ ଚାଲିଛି। ଦୁହେଁ ସେଠାରେ ସୁମି ବିଶ୍ବବିଦ୍ୟାଳୟରେ ପଢ଼ୁଛନ୍ତି। ଗୌରୀଶଙ୍କର କହିବା ଅନୁସାରେ ଆସନ୍ତା ମେ ମାସରେ ତାଙ୍କର ଶେଷ ପରୀକ୍ଷା ଥିଲା। ପରୀକ୍ଷା ସାରି ସେ ଘରକୁ ଫେରିବେ ବୋଲି ଯୋଜନା କରିଥିଲେ। କିନ୍ତୁ ତା ପୂର୍ବରୁ ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଯୋଗୁ ସବୁକିଛି ବାତିଲ ହୋଇଯାଇଛି। ସେମାନଙ୍କ ପାଖରେ ଥିବା ଖାଦ୍ୟସାମଗ୍ରୀ ସରି ଆସୁଥିବା ବେଳେ କେହି ବାହାରକୁ ବାହାରିବାକୁ ମନା କରାଯାଇଛି। ତେଣୁ ଭାରତୀୟ ଛାତ୍ରଛାତ୍ରୀମାନେ ଏବେ ସେଠାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଗୌରୀଶଙ୍କର ଆହୁରି କହିଛନ୍ତି ଯେ, ଯେଉଁ ସହରରେ ଏବେ ସେ ଅବସ୍ଥାନ କରୁଛନ୍ତି ତାହା ଇଭ୍‌ ଠାରୁ ଖୁବ୍‌ ନିକଟତର। ପ୍ରତି ସମୟରେ ସେମାନେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣୁଥିବା ସେ କହିଛନ୍ତି । ଏଥିସହ ଶତାଧିକ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ସେଠାରେ ଫସିରହିଥିବା ବେଳେ ତନ୍ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୧୦ରୁ ଅଧିକ ଛାତ୍ର ଥିବା ଗୌରୀଶଙ୍କର ସୂଚନା ଦେଇଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସ୍ବଦେଶ ଆଣିବାକୁ ଗୌରୀଶଙ୍କର ଏବଂ ବାଲେଶ୍ବରରୁ ତାଙ୍କ ପରିବାର ଲୋକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର