ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀ: ପ୍ରତ୍ୟେକ ଘରକୁ ୧୦ ହଜାର ଲାଞ୍ଚ!

ସନ୍ଦେହ ଘେରରେ ସରପଞ୍ଚଙ୍କ ଭୂମିକା

ରାଉରକେଲା/ନୂଆଗାଁ: ପ୍ରଧାନମନ୍ତ୍ରୀ ଆବାସ ଦେବା ନାଁରେ ଚାଲିଛି ବ୍ୟାପକ ହରିଲୁଟ୍‌ । ଅନେକ ସମୟରେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡୁଛନ୍ତି। ଅଯୋଗ୍ୟ ହିତ୍ୟାଧିକାରୀଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ । ଘର ପିଛା ନିଆଯାଉଛି ୫ରୁ ୧୦ ହଜାର ଲାଞ୍ଚ। ପୁଣି କେତେବେଳେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି। ଏମିତି ସାଂଘତିକ ଅଭିଯୋଗ ଆସିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ବାଗଡେଗା ପଞ୍ଚାୟତରେ। ଜଣେ କି ଦୁଇ ଜଣ ନୁହେଁ ଏକାଧିକ ହିତାଧିକାରୀ ଶୋଷଣର ଶିକାର ହୋଇଛନ୍ତି। ଟାଙ୍ଗରପାଲି ଗ୍ରାମର ପ୍ରେମଶୀଳା ଲୁଗୁନ, ସରୋଜ ଲୁଗୁନ୍‌ ଓ ଜାକ୍ରିଆସ୍‌ ଲୁଗୁନ୍‌ ଓ ହେମ୍ବା ଓରାମ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ଅଫିସ୍‌ ଦୌଡୁଲି। କେହି ତାଙ୍କ କଥା ଶୁଣିଲେନି। ଶେଷରେ ଲାଞ୍ଚ ଦେବାକୁ ବାଧ୍ୟ ହେଲେ। ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ। ସେମିତି ପଞ୍ଚାୟତ ବସ୍ତିର ଧୁନ୍ଧି ମହଲି, ବିର୍ସା ଓରାମ ଓ ଭେଙ୍ଗୁ ଓରାମ୍‌ ଆଣିଛନ୍ତି ସମାନ ଅଭିଯୋଗ। ପ୍ରତ୍ୟେକ ଦେଇଛନ୍ତି ୫ ହଜାର ଟଙ୍କା। ଘର ପାଇବା ପୂର୍ବରୁ ୫ ହଜାର। ଘର ନିର୍ମାଣ ସରିବା ପରେ ଆଉ ୧୦ ହଜାର ଲାଞ୍ଚ ସେମାନଙ୍କ ଠାରୁ ନିଆଯାଇଛି। ଏସବୁ ବେଆଇନ କାର୍ଯ୍ୟକୁ ସରପଞ୍ଚ ପ୍ରୋତ୍ସାହନ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ପ୍ରତ୍ୟେକ ବର୍ଷ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ଲାଞ୍ଚ ନିଆଯାଉଛି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଏମିତି ମାଳ ମାଳ ଅଭିଯୋଗ ଆସୁଥିଲେ ହେଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ। କେବଳ ବାଗ୍‌ଡେଗା ପଞ୍ଚାୟତ ନୁହେଁ ନୂଆଗାଁ ବ୍ଲକର ଅନ୍ୟ କିଛି ପଞ୍ଚାୟତରେ ଏମିତି ଅଭିଯୋଗ ଆସୁଛି। ଅଭିଯୋଗ ହେଲେ ଲୋକ ଦେଖାଣିଆ ଭାବେ ତଦନ୍ତ ହେଉଛି। ଭିତିରି ସଲାସୁତୁରା କରି ଦୁର୍ନୀତିକୁ ରଫାଦଫା କରି ଦିଆଯାଉଛି। ଯାହାର ଭରପୁର ଫାଇଦା ଉଠାଉଛନ୍ତି ପଞ୍ଚାୟତର ସରପଞ୍ଚ ଓ କିଛି କରିତକର୍ମା ନେତା। ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ଠାରୁ ଆରମ୍ଭ କରି ବିଲ୍‌ ହେବା ପର୍ଯ୍ୟନ୍ତ ବିଭିନ୍ନ ଆଳ ଦେଖାଇ ଲୁଟୁଛନ୍ତି। ବାଗଡେଗା ପଞ୍ଚାୟତରେ ବର୍ଷକୁ ପ୍ରାୟ ୨୮୦ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଆସୁଛି।

ପ୍ରତ୍ୟେକ ଘର ବାବଦରେ ୧୦ ହଜାର ଟଙ୍କା କରି ୨୮ ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହେଉଛି। ପଞ୍ଚାୟତର ରାମପାଲ ଓରାମ କହିଛନ୍ତି, ଘର ଖଣ୍ଡିଏ ପାଇଁ ବାରମ୍ବାର ଦୌଡିଲୁ। ସରପଞ୍ଚଙ୍କୁ ବ୍ୟାଙ୍କ ପାସ୍‌ ବୁକ୍‌ ଦେଲୁ। ଏଥିସହ ୫ ହଜାର ଟଙ୍କା ଲାଞ୍ଚ ମଧ୍ୟ ଦେଲୁ। ତା’ ପରେ ଯାଇ ଆମକୁ ଘର କରିବାକୁ ୱାର୍କ ଅର୍ଡର ମିଳିଲା। ରିମା ଓରାମ କହିଛନ୍ତି, ଲାଞ୍ଚ ଦେବାକୁ ସକ୍ଷମ ନଥିବାରୁ ଘର ମିଳୁ ନଥିଲା। ପୁଅ ପଞ୍ଜାବରେ ଦାଦନ ଖଟି ଘରକୁ ଫେରିଲା। ପେଟକୁ କାଟି ଯାହା କିଛି ଆଣିଥିଲା ସେଥିରୁ ୫ ହଜାର ଟଙ୍କା ଲାଞ୍ଚ ଦେଲା। ତା’ପରେ ଘର କରିବାକୁ ୱାର୍କ ଅର୍ଡର ମିଳିଥିଲା। କେବଳ ପ୍ରଧାନମନ୍ତ୍ରୀ ଆବାସ ନୁହେଁ ନରେଗା କାମରେ ମଧ୍ୟ ସେହି ଅଭିଯୋଗ। ଯୋଗ୍ୟ ଲୋକଙ୍କୁ କାର୍ଡ ଦିଆ ନଯାଇ ମନଇଚ୍ଛା ବାଣ୍ଟି ଦିଆଯାଉଛି। ଏଭଳି ଅଭିଯୋଗ ସଂକ୍ରାନ୍ତରେ ବାଗଡେଗା ସରପଞ୍ଚ ମହେଶ୍ବର ଏକ୍କାଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। କାହାଠାରୁ ଟଙ୍କା ଲାଞ୍ଚ ନିଆଯାଉ ନାହିଁ। ସବୁ କିଛି ସରକାରୀ ନୀତିନିୟମ ଅନୁଯାୟୀ କରାଯଉଛି। ତେବେ ହିତାଧିକାରୀ ଆଣିଥିବା ଅଭି‌ଯୋଗ ସଠିକ୍‌ ତଦନ୍ତ କରାଗଲେ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ‌ହେଉଥିବା‌ ଦୁର୍ନୀତିର ପର୍ଦ୍ଦାଫାସ ‌ହୋଇପାରନ୍ତା।

ସମ୍ବନ୍ଧିତ ଖବର