ଫୁଲବାଣୀ: ଆସନ୍ତା ଜାନୁଆରି ମାସରୁ ବଢିବ ଟିକସ ଓ ସେବାକର। ୧୦ ଗୁଣା ଟିକସ ଓ ଜବରଦଖଲକାରୀଙ୍କଠାରୁ ୧୦୦ ଗୁଣା ସେବା କର ବି ଆଦାୟ ହେବ। ସରକାରଙ୍କ ଏଭଳି ନିର୍ଦ୍ଦେଶ ପରେ ଫୁଲବାଣୀ ପୌର ପ୍ରଶାସନ ପକ୍ଷରୁ ସମସ୍ତ ୱାର୍ଡରେ ନୋଟିସ ମରାଯାଇଛି। ଏହାକୁ ନେଇ  ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୌରାଞ୍ଚଳରେ ଭିତ୍ତିଭୂମିର ବିକାଶ ହେଉ ନଥିବା ବେଳେ ୧୦ଗୁଣା ଟିକସ ଓ ୧୦୦ ଗୁଣା ସେବା କର ନେଇ  ଦିଆଯାଇଥିବା ନୋଟିସକୁ କନ୍ଧମାଳ ମିଳିତ ନାଗରିକ କମିଟି ପକ୍ଷରୁ ବିରୋଧ କରାଯାଇଛି। ଯଦି ସରକାର ନିଷ୍ପତ୍ତିର ପୁର୍ନବିଚାର ନ କରନ୍ତି ତାହା ହେଲେ ଆନ୍ଦୋଳନ କରାଯିବ ବୋଲି ମିଳିତ ନାଗରିକ କମିଟି ପକ୍ଷରୁ ଧମକ ଦିଆଯାଇଛି।  ଫୁଲବାଣୀ ସହର ବିଜ୍ଞାପିତ ପରିଷଦରୁ ପୌରାଞ୍ଚଳ ହେବା ଘୋଷଣାକୁ ୧୦ ବର୍ଷ ହେଲା। ତଥାପି ବିକାଶ ମୂଳକ କାମ ଯେତିକି ହେବା କଥା ହୋଇ ନାହିଁ।  ଜମିଜମା  ସମସ୍ୟା ବହୁ ଦିନ ହେଲା ଲାଗି ରହିଛି। ଏହାର ସମାଧାନ ହୋଇ ପାରି ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ, ରାସ୍ତା, ଡ୍ରେନେଜ ଓ ପରିମଳ ସମସ୍ୟାରେ ସୁଧାର ସେମିତି ଆଖି ଦୃଶିଆ ଭାବେ ହୋଇ ନାହିଁ। ମନୋରଂଜନ ପାଇଁ କିଛି ସୁବିଧା କରାଯାଉ ନଥିବା ବେଳେ ଖେଳକୁଦ ପାଇଁ ନୂତନ ଖେଳ ପଡିଆ ବି ନିର୍ମାଣ ହୋଇ ପାରି ନାହିଁ। କାଞ୍ଜିଆ ହୁଦା ନଥିବାରୁ ସହର ସାରା ବୁଲା ଗାଈ ଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏଥି ଯୋଗୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି।

Advertisment

ସହରବାସୀଙ୍କ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦିଆଯାଇ ପାରି ନଥିବା ବେଳେ ଟିକସ ଓ ସେବା କର ବୃଦ୍ଧିକୁ  ସହଜରେ କେହି ଗ୍ରହଣ କରି ପାରୁ ନାହାନ୍ତି। ଏହାକୁ ନେଇ ବଡଧରଣର ଆନ୍ଦୋଳନ ହେବା ପୂର୍ବରୁ ଏ ଦିଗରେ ପ୍ରଶାସନ ଓ ରାଜ୍ୟ ସରକାର ନିଷ୍ପତ୍ତିର ପରିବର୍ତ୍ତନ କରି ପଦକ୍ଷେପ ନେବାକୁ ଦାବି ହୋଇଛି। ଯଦି ପ୍ରଶାସନ ଓ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହା ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସ୍ଥାନୀୟ ହାଟପଦା ଯାତ୍ରା ପଡିଆରେ ଅନୁଷ୍ଠିତ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ବିଜୟକୃଷ୍ଣ ପଟ୍ଟନାୟକଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ କମଳାକାନ୍ତ ପାଣ୍ଡେ, ବିଜୟ କୁମାର ମହାନ୍ତି, ସିଦ୍ଧେଶ୍ବର ପ୍ରସାଦ ଦାସ, ପଦ୍ମଚରଣ ସ୍ବାଇଁ, ଆଶୋକ କୁମାର ପରିଡା, ସଚିଦାନନ୍ଦ ପଟ୍ଟନାୟକ, ପ୍ରସନ୍ନ ସାହାଣୀ, ପଦ୍ମଚରଣ ସାହୁ, ପ୍ରମୋଦ ସାହୁ ସମେତ ବହୁ ବରିଷ୍ଠ ନାଗରିକ ବୈଠକରେ ଯୋଗ ଦେଇ ଟିକସ ଓ ସେବା କର ବୃଦ୍ଧିକୁ ନାପସନ୍ଦ କରିବା ସହ ବିରୋଧ କରିଥିଲେ। କମିଟି ନିଷ୍ପତ୍ତି ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ନେଇ ଶ୍ରୀ ପାଣ୍ଡେ କହିଛନ୍ତି। ଏନ ନେଇ ‌ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା କହନ୍ତି ସରକାରଙ୍କ ନିର୍ଦ୍ଦେଶମତେ ନୋଟିସ କରାଯାଇଛି। କାହାର କିଛି ଆପତ୍ତି ଅଭିଯୋଗ ଥିଲେ ତାକୁ ସରକାରଙ୍କ ପାଖକୁ ପଠାଇ ଦେବୁ। ସରକାର ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।