ବେଆଇନ ଲଘୁ ଖଣିଜଦ୍ରବ୍ୟ ଚାଲାଣ: ୧୦ ମାସରେ ୨ କୋଟି ଟଙ୍କା ଜୋରିମାନା ଆଦାୟ

ଖୋର୍ଦ୍ଧା: ଗତ ୧୦ ମାସ ମଧ୍ୟରେ ଖୋର୍ଦ୍ଧା ଉପଖଣ୍ଡରୁ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ କରୁଥିବା ଗାଡ଼ି ଉପରେ ଚଢ଼ଉ କରାଯାଇ ୨ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଉପରେ ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ତହସିଲରେ ୨୦୨୦ ଅପ୍ରିଲ୍ ୧ ତାରିଖରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।

ବର୍ତମାନ ସୁଦ୍ଧା ୧କୋଟି ୯୬ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଛି । ୧୯ ତାରିଖରେ ଚଢ଼ଉ କରାଯାଇ ଖୋର୍ଦ୍ଧା ଉପଖଣ୍ଡରୁ ୨ଲକ୍ଷ ୧୫ ହଜାର ଟଙ୍କା ଆଦାୟ ହୋଇଥିଲା । ଏହା ମଧ୍ୟରୁ ଖୋର୍ଦ୍ଧା ତହସିଲରୁ ୧ଲକ୍ଷ ୫୦ହଜାର ଟଙ୍କା, ଟାଙ୍ଗୀ ତହସିଲରୁ ୩୦ହଜାର ଟଙ୍କା, ବୋଲଗଡ଼ ତହସିଲରୁ ୨୫ହଜାର ଟଙ୍କା ଓ ବାଣପୁର ତହସିଲରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ବର୍ତମାନ ସୁଦ୍ଧା ଖୋର୍ଦ୍ଧା ତହସିଲରୁ ସର୍ବାଧିକ ୬୩ ଲକ୍ଷ ୫୨ ହଜାର ୫୦୦ଟଙ୍କା ଆଦାୟ ହୋଇଥିବା ବେଳେ ଟାଙ୍ଗୀରୁ ୪୮ଲକ୍ଷ ୪୩ହଜାର ୨୯୦ଟଙ୍କା, ବେଗୁନିଆରୁ ୩୭ଲକ୍ଷ୪୯ହଜାର ଟଙ୍କା, ବାଣପୁରରୁ ୨୦ଲକ୍ଷ୭୮ ହଜାର ୨୮୦ଟଙ୍କା, ବୋଲଗଡ଼ରୁ ୧୩ଲକ୍ଷ ୫ ହଜାର ୨୯୮ଟଙ୍କା, ଚିଲିକାରୁ ୧୦ଲକ୍ଷ ୭୫ହଜାର ୫୬୦ଟଙ୍କା ଆଦାୟ ହୋଇଛି । ବର୍ତମାନ ଜୋରିମାନା ଆଦାୟ କରିବାକୁ ବେଗୁନିଆ ଓ ଖୋର୍ଦ୍ଧାରେ ଇଲେକ୍ଟ୍ରୋନିକ୍ -ଅନ୍ଲାଇନ୍ ମାଧ୍ୟମ କାର୍ଯ୍ୟକାରୀ ହୋଇଥିବା ବେଳେ ଅନ୍ୟ ତହସିଲରେ ଖୁବ୍ ଶୀଘ୍ର ଏହା ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ଅଶୋକ ବେଉରିଆ କହିଛନ୍ତି ।

ସମ୍ବନ୍ଧିତ ଖବର