ହାଟଡିହି: ବୈତରଣୀ ନଦୀ ସଂଯୋଗୀକରଣ ଯୋଜନାରେ କେନାଲ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ମାଲିକଙ୍କୁ ଏଯାଏ ଉପଯୁକ୍ତ ପ୍ରାପ୍ୟ ମିଳିନଥିବା ବେଳେ ଏବେ ଜୋର ଜବରଦସ୍ତ ଠିକାଦାର ଉକ୍ତ ଜମିରେ କେନାଳ ଖୋଳୁଥିବାରୁ ଜମି ମାଲିକମାନେ ପ୍ରତିବାଦ କରିଛନ୍ତି। ହାଟଡିହି ବ୍ଲକ୍‌ ଅକରୁଆ ପଞ୍ଚାୟତ ଭାତକରୁଆ ଗ୍ରାମର ଭୀମସେନ ସେଠୀ, ନକୁଳ ସେଠୀ, ଅର୍ଜୁନ ସେଠୀ, ପାଣ୍ଡବ ଚରଣ ସେଠୀ, ଯୁଜା ସେଠୀଙ୍କ ଡିମିରିବନ୍ଦୀ ମୌଜାରେ ୮୦ ଡିସିମିଲ ଜମି ଥିଲା। ବୈତରଣୀ ନଦୀ ସଂଯୋଗୀକରଣ ଯୋଜନାରେ କେନାଲ ନିର୍ମାଣ ପାଇଁ ତାଙ୍କ ଜମି ଅଧିଗ୍ରହଣ ହୋଇଥିଲା। ଜମି ମାପଚୁପ କରିବା ପରେ ତାଙ୍କୁ ମାତ୍ର ୫୪ ହଜାର ଟଙ୍କା କ୍ଷତିପୂରଣ ମିଳିବ ‌ବୋଲି ନୋଟିସ୍‌ ହୋଇଥିଲା। ତାଙ୍କର ଏହି ଦୋଫସଲି ଜମି ଅତ୍ୟନ୍ତ ମୂଲ୍ୟବାନ ହୋଇଥିବାବେଳେ ଏଥିରେ ଚାଷବାସ କରି ଜମି ମାଲିକମାନେ ପରିବାର ପ୍ରତିପୋଷଣ କରୁଥିଲେ। ତେଣୁ ସେମାନେ କ୍ଷତିପୂରଣ ରାଶି ଗ୍ରହଣ କରି ନଥିଲେ। ଏହାର ପୁନଃ ତର୍ଜମା କରି କ୍ଷତିପୂରଣ ଦେବାକୁ ସେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। କିନ୍ତୁ କେହି ତାଙ୍କ ଅଭିଯୋଗ ଶୁଣିଲେ ନାହିଁ।

Advertisment

ଗତ କିଛିଦିନ ହେବ ଠିକାସଂସ୍ଥା ଜୋର ଜବରଦସ୍ତ ତାଙ୍କ ଜମିରେ କେନାଲ ଖୋଳା ଜାରି ରଖିଛି। ଏନେଇ ଆଜି ଜମି ମାଲିକ ଭୀମସେନ ସେଠୀ, ଅର୍ଜୁନ ସେଠୀ, ନକୁଳ ସେଠୀ, ସହଦେବ ସେଠୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ଉପେନ୍ଦ୍ର ସେଠୀ, ରାଜେନ୍ଦ୍ର ନାରାୟଣ ସେଠୀ, ଚନ୍ଦ୍ରମଣି ସେଠୀ, ପରୀ ସେଠୀ, ସକ୍ଷୀ ସେଠୀ, ତପସ୍ୱିନୀ ସେଠୀ, ମାଳତୀ ସେଠୀ, ଜ୍ଞାନପ୍ରଭା ସେଠୀ, ମଳୟ ସେଠୀ, ହେମନ୍ତ ସେଠୀ, ପ୍ରଶାନ୍ତ ସେଠୀ, ରାଧାଶ୍ୟାମ ସେଠୀ ପ୍ରମୁଖ ନିଜ ଜମି ଉପରେ ଠିଆ ହୋଇ ଏହାର ପ୍ରତିବାଦ କରିଛନ୍ତି। ଜମି ବାବଦକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଜମି ମାଲିକମାନେ ଦାବି କରିଛନ୍ତି। ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନନେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।