ମାଲକାନଗିରି: ସୀମାନ୍ତ ବିଜାପୁର ଜିଲ୍ଲାର ମୁଦାଭେଣ୍ଡି ଓ ପେଡ଼ିଆ ମଧ୍ୟରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଦଶ ବର୍ଷ ବୟସର ବାଳକର ମୃତ୍ୟୁ ଘଟିଛି।ବାଳକର ନାମ ହିଡ଼ମା କବାସୀ ବୋଲି ଜଣାପଡିଛି। ମୁଦାଭେଣ୍ଡି ଓ ପେଡିଆ ମଧ୍ୟରେ ରହିଥିବା ଜଂଗଲିଆ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଜଂଗଲରେ ଲ୍ୟାଣ୍ଡମାଇନର ଶିକାର ହୋଇଥିଲା। ତୁରନ୍ତ ୨୨୨ ସିଆରପିଏଫ ବାଟାଲିନୟର ଯବାନ ଜଂଗଲରୁ ହିଡମା କାବାସୀଙ୍କୁ ଉଦ୍ଧାର କରି ବିଜାପୁର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଛି। ୧୦ ବର୍ଷିୟ କାୱାସୀ ହିଡମାଙ୍କର ରକ୍ତ କ୍ଷୟ ହେତୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Advertisment

ଶିଶୁ ହିଡମା କାୱାସୀଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଲ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ବିଜାପୁରକୁ ଅଣାଯାଇଥିଲା।ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। କିନ୍ତୁ ଏହି ଲ୍ୟାଣ୍ଡମାଇନର ଶିକାର କେବଳ ନିରୀହ ଜନତା ହେଉଛନ୍ତି ବୋଲି ପୁଲିସ କହିଛି। ସହିଦ ସପ୍ତାହର ପ୍ରଥମ ଦିନରେ ଏଭଳି ଘଟିଥିବାରୁ ନକ୍ସଲଙ୍କ ଏହି ଘୃଣ୍ୟ କାମକୁ ସବୁ ମହଲରେ ନିନ୍ଦା କରାଯାଇଛି। ଏହି ଅଂଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଥିବା ପୁଲିସ କହିଛି। ତେବେ ଏହାକୁ ନେଇ ନକ୍ସଲ କି ପ୍ରକାର ମନ୍ତବ୍ୟ ଦେଉଛନ୍ତି ଦେଖିବାକୁ ବାକି ରହିଲା।