ରାଉରକେଲା: ମହିଳାଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ରାଉରକେଲା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମନୋଜ କୁମାର ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ସହ ୧୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ୮ ସାକ୍ଷୀଙ୍କ ସାକ୍ଷପ୍ରମାଣ ଓ ପାରିପାର୍ଶ୍ବିକ ସ୍ଥିତକୁ ଆଧାରରେ ବିଚାରପତି ଶ୍ରୀ କୁମାର ଏ ରାୟ ଶୁଣାଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଢେଙ୍କାନାଳର ମିତୃଘନ ପାତ୍ର।

Advertisment

ସୂଚନା ଅନୁଯାୟୀ, ଗତ ୨୦୧୭ ଏପ୍ରିଲ୍‌ ୨୧ରେ ବିଶ୍ରାରେ ଜଣେ ମହିଳା ତାଙ୍କ ଝିଅଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିକଟ କ୍ଲିନ୍‌କୁ ଆସିଥିଲେ। ଝିଅଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସକାଳ ପ୍ରାୟ ୯ଟାରେ ଅଟୋରେ ଘରକୁ ଫେରୁଥିଲେ। ସେଇ ଅଟୋରେ ଥିବା ଅଭିଯୁକ୍ତ ମିତୃଘନ ତାଙ୍କୁ ଏକ ନିଶା ପଦାର୍ଥ ସୁଙ୍ଘେଇ ଦେବାରୁ ମହିଳା ଜଣକ ଚେତାଶୂନ୍ୟ ହୋଇଯାଇଥିଲା। ପରେ ଅଭିଯୁକ୍ତ ମହିଳା ଓ ତାଙ୍କ ଝିଅଙ୍କୁ ଭୁବନେଶ୍ବର ପଟିଆସ୍ଥ ଚଣ୍ଡିବସ୍ତିକୁ ନେଇଯାଇଥିଲା। ସେଠାରେ ତାଙ୍କୁ ଗୃହ ବନ୍ଦୀ କରି ରଖିବା ସହ ଦୁଷ୍କର୍ମ କରିଥିଲା। ତା‘ପର ଦିନ ମହିଳାଙ୍କୁ ଢେଙ୍କାନାଳର ଖଟାବସ୍ତିକୁ ନେଇ ଯାଇଥିଲା। ସେଠାରେ ମହିଳାଙ୍କ ମୋବାଇଲରେ ତାଙ୍କ ଭଉଣୀଙ୍କୁ ଫୋନ୍‌ କରି ୬୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲା। ନଦେଲେ ଜୀବନରେ ମାରି ଦେବାକୁ ଧମକ୍‌ ଚମକ୍‌ ଦେଇଥିଲା।

ପୀଡ଼ିତାଙ୍କ ଭଉଣୀ ଧମକପୂର୍ଣ୍ଣ ଫୋନ୍‌ ପାଇବା ପରେ ଏ ସଂପର୍କରେ ଭିଣୋଇଙ୍କୁ ଜଣାଇଥିଲେ। ପରେ ପୀଡ଼ିତାଙ୍କ ସ୍ବାମୀ ବିଶ୍ରା ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଥିଲା। ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁଯାୟୀ, ଗତ ୨୦୧୭ ମେ ୧୩ରେ ରାଉରକେଲା ବିଶ୍ରା ଛକକୁ ଆସି ୬୦ ହଜାର ଟଙ୍କା ନେବାକୁ ଅଭିଯୁକ୍ତ କହିଥିଲା। ଅଭିଯୁକ୍ତ ମିତୃଘନ ବସ୍‌ ଯୋଗେ ସେଇ ଦିନ ଅପରାହ୍ନରେ ବିଶ୍ରା ଛକରେ ପହଞ୍ଚିଥିଲା। ଯୋଜନା ମୁତାବକ ପୂର୍ବରୁ ଲୁଚି ରହିଥିବା ବିଶ୍ରା ପୁଲିସ ମିତୃଘନକୁ ସେଠାରୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସରକାରୀ ଓକିଲ କୈଳାସ ଚନ୍ଦ୍ର ପ୍ରଧାନ ମାମଲାକୁ ପରିଚାଳନା କରୁଥିଲେ।