ସୁନ୍ଦରଗଡ଼: ହେମଗିର ଥାନା ରଙ୍ଗିଆଢିପାରେ ୨୦୧୫ ଡିସେମ୍ବରରେ ଘଟିଥିବା ଏକ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ମଙ୍ଗଳବାଡ଼ର ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ ମାମଲାରେ ଦୁଷ୍କର୍ମ ଅଭିଯୁକ୍ତ ଦିଲୀପ ଓରାମ (୩୧)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସମ୍ପର୍କରେ ଦୁଷ୍କର୍ମକାରୀ ଦିଲୀପ ପୀଡ଼ିତାଙ୍କ କାକା ପୁଅ ଭାଇ ହୋଇଥିବା ବେଳେ ଘଟଣାଟି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment

ମାମଲାର ବିବରଣୀ ଅନୁସାରେ, ଘଟଣା ଦିନ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ପୀଡ଼ିତାଙ୍କ ମା’ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ପୀଡ଼ିତା ଘରେ ଏକ୍ଲା ଥିବାରୁ ସୁଯୋଗ ନେଇ ଦିଲୀପ ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ପୀଡ଼ିତା ଦୃଷ୍ଟିବାଧିତ ଥିବାରୁ ବାଧା ଦେବାକୁ ସକ୍ଷମ ହୋଇ ନଥିଲେ। ମା’ କାଠ ନେଇ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିଥିଲେ। କିନ୍ତୁ ପରିବାର ଲୋକେ ଘଟଣାର ସମାଧାନ କରିବାକୁ ଯାଇ ଏତଲା ଦେଇ ନଥିଲେ।

ତେବେ ଘଟଣାର ୪ ମାସ ପରେ ୨୦୧୬ ମାର୍ଚ୍ଚ ୫ ତାରିଖରେ ଅଭିଯୁକ୍ତ ଦିଲୀପ ପୀଡ଼ିତାଙ୍କ ମା’ଙ୍କୁ ପଥର ଖଣ୍ଡରେ ଆକ୍ରମଣ କରି ଜୀବନରେ ମାରିଦେବାର ଧମକ ଦେଇଥିଲା। ଏହା ପରେ ୬ ତାରିଖରେ ପୀଡ଼ିତାଙ୍କ ମା’ ଥାନାରେ ଦୁଷ୍କର୍ମ ଓ ଆକ୍ରମଣ ସମ୍ପର୍କରେ ଏତଲା ଦେଇଥିଲେ। ହେମଗିର ପୁଲିସ ଭାରତୀୟ ଦଣ୍ଡବିଧି ଧାରା ୪୫୦, ୩୭୬(୨)(୧), ୫୦୬ରେ ମାମଲା ରୁଜୁ କରି ଜଣେ ମହିଳା ପୁଲିସ ଅଧିକାରୀଙ୍କ ଜରିଆରେ ତଦନ୍ତ କରିଥିଲେ। ୮ ତାରିଖରେ ଅଭିଯୁକ୍ତ ଦିଲୀପକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ଜାମିନ ନାମଞ୍ଜୁର କରି ତାକୁ ଜେଲକୁ ପଠାଇ ଦେଇଥିଲେ। ମାମଲା ବିଚାର ଚାଲିଥିବା ବେଳେ ପୁଲିସର ତଦନ୍ତ ରିପୋର୍ଟ ଓ ସାକ୍ଷ୍ୟକୁ ଭିତ୍ତି କରି କୋର୍ଟ ୨୬.୪.୨୦୨୨ରେ ରାୟ ଶୁଣାଇଥିଲେ। ଜନ ଅଭିଯୋଜକ (ପିପି) ଅବଦୁଲ ସମିମ ଅଖତର ମାମଲାର ପରିଚାଳନା କରିଥିଲେ।