ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା

ଭଦ୍ରକ: ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ପ୍ରଣତୀ ସାହା ଶୁକ୍ରବାର ପୁରୁଣା ବଜାର ଥାନା ମିରମହଲା ଗ୍ରାମର ସେକ ଅବଦୁଲଙ୍କ ପୁତ୍ର ସେକ ଇକବଲ ୨୯ ବର୍ଷ ପୋସ୍କୋ ଆଇନର ଧାରା ୪ ଓ ପିଙ୍ଗଳ କୋଡର ଦଫା ୩୭୬(୨)ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅଭିଯୋଗ ମୁତାବକ ସେକ ଇକବଲ ୨୦୧୬ ଡିସେମ୍ବର ୨୯ ତାରିଖ ସେହି ଗ୍ରାମର ଜନୈକ ନାରାୟଣ ଚନ୍ଦ୍ର ହାଇସ୍କୁଲରେ ନବମ ଶ୍ରେଣୀ ନାବାଳିକା ଛାତ୍ରୀକୁ ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସଂପର୍କ ସ୍ଥାପନ କରିଥିଲା।

ଡାକ୍ତରୀ ପରୀକ୍ଷାରୁ ପରିବାର ଲୋକ ନାବାଳିକା ଗର୍ଭବତୀ ଥିବା ଜାଣିବା ପରେ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୨୦୪/୧୬ ଦଫା-୩୭୬(୨)(ଘ) ଓ ନାବାଳିକା ଯୌନ ନିର୍ଯାତନା ନିରୋଧ ଆଇନର ଦଫା ୬ ରେ ମାମଲା ରୁଜୁ କରି ଗତ ୨୦୧୭ ଜାନୁଆରି ୩ ତାରିଖରେ ଇକବଲକୁ ଗିରଫ କରିଥିଲା। ସେ ବିଚାରାଧିନ ବଂଦୀଭାବେ ସେହି ଦିନରୁ ଜେଲରେ ଅଟକ ଅଛି। ସ୍ପେଶାଲ କେସ ନଂ-୬୪/୧୬ରେ ବିଚାର କରି ମାନ୍ୟବର କୋର୍ଟ ଇକବଲକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୀଡିତାଙ୍କ ତରଫରୁ ସରକାରୀ ଓକିଲ ମନୋରଂଜନ ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର