ଚୋରା ଗଞ୍ଜେଇ ଚାଲାଣ ମାମଲା: ୩ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ରାଉରକେଲା: ଚୋରା ଗଞ୍ଜେଇ ଚାଲାଣ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୀପକ କୁମାର ୩ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣ ଓ ପାରିପାର୍ଶ୍ବିକ ସ୍ଥିତିକୁ ବିଚାରକୁ ନେଇ ଏହି ରାୟ ଶୁଣାଇଛନ୍ତି। ତିନି ଅଭିଯୁକ୍ତ ହେଲେ ମାନସ ରଞ୍ଜନ ତ୍ରିପାଠୀ, ପ୍ରଦୀପ ମହାନ୍ତି ଓ ଏ. ସାହୁ। ପ୍ରମାଣ ଅଭାବରୁ ଅନ୍ୟ ୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି। ଗତ ୨୦୧୯ ନଭେମ୍ବର୧୨ରେ କନ୍ଧମାଳରୁ ଏକ କାର୍‌ରେ ୭୮ କେଜି ଗଞ୍ଜେଇ ରାଉରକେଲାକୁ ଚୋରା ଚାଲାଣ ହେଉଥିଲା।

ଗୁପ୍ତ ସୂଚନା ପାଇ ରଘୁନାଥପାଲୀ ପୁଲିସ ପାନପୋଷ ଛକରେ ଗାଡି ଯାଞ୍ଚକୁ କଡାକଡି କରିଥିଲେ। ଗାଡି ଯାଞ୍ଚ ହେଉଥିବା ଦେଖି କାର୍‌ଟି ସେଠାରୁ ଖସି ଯାଉଥିଲାବେଳେ ପୁଲିସ ପିଛା କରି କାର୍‌ଟିକୁ ଜବତ କରିଥିଲେ। ଏହି ଘଟଣାରେ ରଘୁନାଥପାଲୀ ପୁଲିସ ମାନସ ରଞ୍ଜନ ମହାନ୍ତି, ପ୍ରଦୀପ ମହାନ୍ତି, ଏ. ସାହୁଙ୍କ ସମେତ ମୋଟ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ପେସିଆଲ୍‌ ସରକାରୀ ପିପି ସତ୍ୟନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର