କଣ୍ଟାବାଞ୍ଜି: ୨୦୧୫ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ଶନିବାର ସ୍ଥାନୀୟ ସେସନ ଜଜ୍ ହିମାଂଶୁ ଶେଖର ମଲ୍ଲିକ ତାଙ୍କ ରାୟ ଶୁଣାଇଛନ୍ତି। ଦୁଷ୍କର୍ମ ଅଭିଯୁକ୍ତ କଣ୍ଟାବାଞ୍ଜି ଥାନା ଡୁମେରଚୁଆଁ ଗାଁର ରବି ହଂସକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ନିର୍ଦେଶ ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ୨୦୧୫ ମସିହାରେ ବଙ୍ଗୋମୁଣ୍ଡା ଥାନାରେ ପୀଡ଼ିତାଙ୍କ ବାପା ଅଭିଯୋଗ କରିଥିଲେ। ତାଙ୍କ ଅନୁସାରେ, ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଥିବା ଏକ କେନାଲକୁ ପୀଡ଼ିତା ଯୁବତୀ ଶୌଚ ପାଇଁ ଯାଇଥିବା ବେଳେ ରବି ହଂସ ତାଙ୍କୁ ଦୁଷ୍କର୍ମ କରିଥିଲା। ପୁଲିସ ଅଭିଯୁକ୍ତ ରବିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶନିବାର ଅଦାଲତ ୧୯ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିଲେ।