ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସ୍ପଞ୍ଜ କାରଖାନା ( ଲିବର୍ଟି ହାଉସ୍‌ )ର କାର୍ଯ୍ୟକଳାପକୁ ନେଇ ତେଜୁଛି ଅସନ୍ତୋଷ। କାରଖାନା କର୍ତ୍ତୃପକ୍ଷ ସରକାରଙ୍କ ସମସ୍ତ ଶିଳ୍ପ ନୀତିକୁ ଫୁଃ କରିଦେଇଛନ୍ତି। ପୂର୍ବରୁ ଆଧୁନିକ ମେଟାଲିକ୍ସ କାରଖାନା ଯେତିକି ସରକାରୀ ଜମି ଅଧିଗ୍ରହଣ କରିଥିଲା, ଲିବର୍ଟି ହାଉସ୍‌ ବେଆଇନ ଭାବେ ତା’ଠାରୁ ଢ଼େର ଅଧିକ ଜମି ମାଡିବସିଛି ବୋଲି ଅଭିଯୋଗ ହେଉଛି। ପାଖାପାଖି ୪୦ ଏକରରୁ ଅଧିକ ସରକାରୀ ଜମି ଏବେ କାରଖାନା କବ୍‌ଜାରେ ରହିଛି। ୧୦୦ କୋଟିରୁ ଜମି ମଧ୍ୟରେ ଘରୋଇ ଓ କିଛି ସରକାରୀ ଜମି। ସବୁଠୁ ଆଶ୍ଚର୍ଯ୍ୟ କଥା, ୧୨୦ ଜଣ ଭୂମିହୀନଙ୍କ ପାଇଁ ଚିହ୍ନଟ ୪ ଡେସିମିଲ୍‌ ଲେଖାଏଁ ଜାଗାକୁ ମଧ୍ୟ କାରଖାନା କର୍ତ୍ତୃପକ୍ଷ ଛାଡିନି। ବେଆଇନ ଭାବେ ମାଡ଼ିବସିଥିବା ଜାଗା ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କରିଦେଇଛି। କାରଖାନାର ଏଭଳି ବେଆଇନ କାର୍ଯ୍ୟକୁ ସୁନ୍ଦରଗଡ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କାରଖାନା ମାଲିକଙ୍କ ସେତେବେଳେ ତୀବ୍ର ବିରୋଧ କରିଥିଲେ।

Advertisment

ଆନ୍ଦୋଳନ ଚେତାବନୀ ଦେବା ପରେ ତତ୍କାଳୀନ କୁଆରମୁଣ୍ଡା ତହସିଲଦାର କାରଖାନା ଅଧିଗ୍ରହଣ କରିଥିବା ଜମିର ମାପଚୁପ ପରେ ତଦନ୍ତ କରି ତ୍ରୁଟି ଥିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଲୋକ ଦେଖାଣିଆ ମାପଚୁପ୍‌ କରି କାମସାରି ଦେଇଥିଲେ। ପରବର୍ତ୍ତୀ ସମୟରେ କୁଆରମୁଣ୍ଡା ବ୍ଲକରେ ଦୁଇ ଦୁଇ ଜଣ ତହସିଲଦାର ଯୋଗଦେଇ ଅନ୍ୟତ୍ର ବଦଳି ହୋଇଗଲେଣି। କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୂନ୍‌। ଅନ୍ୟପଟେ ଲିବର୍ଟି ହାଉସ୍‌ କର୍ତ୍ତୃପକ୍ଷ କ୍ଷତିର ଆଳ ଦେଖାଇ ଅତି ଚତୁରତା ସହ ଅନ୍ୟ ଏକ ସଂସ୍ଥାକୁ ଠିକାରେ ଟେକିଦେଇଛନ୍ତି। ସେହି ସଂସ୍ଥା ଠାରୁ ମାସିକ ମୋଟା ଅଙ୍କର ଲାଭ ଉଠାଉଛନ୍ତି। ତେବେ କାରଖାନା ମାଡ଼ିବସିଥିବା ୪୦ ଏକର ଜମି ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ କୁଆରମୁଣ୍ଡା ତହସିଲଦାର ଡକ୍ଟର ରାଜେଶ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଆର୍‌ଆଇଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା।

ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଲ୍ଲେଖଯୋଗ୍ୟ, ୨୦୦୩ରେ କୁଆରମୁଣ୍ଡା ଚାର୍ଡିହରିହରପୁର ଠାରେ ଆଧୁନିକ୍‌ ମେଟାଲିକ୍ସ କାରଖାନା ପ୍ରତିଷ୍ଠା ହୋଇଥିଲା। ଏଥିପାଇଁ କାରଖାନା କୁଆରମୁଣ୍ଡାର ଜନୈକ ବ୍ୟକ୍ତିଙ୍କ ଖାତା ନଂ ୧୧ ଓ ୧୨ରୁ ୪୦ ଏକର ଜମି କଣିଥିଲା। ପରେ ଇଡ୍‌କୋ ଠାରୁ ପ୍ରାୟ ୬୨ ଏକର ଜମି ନେଇଥିଲେ। ଏଥିସହ ଜଙ୍ଗଲ ଜମି ପ୍ରାୟ ୩୫ ଏକର, ଅନାବାଦି ଜମି ୨୫ ଏକର, ଏମିତି ଭାବେ ମୋଟ୍‌ ପ୍ରାୟ ୧୬୨ ଏକର ଜମି ଅଧିଗ୍ରହଣ କରା ଯାଇଥିଲା। ଉପରୋକ୍ତ ଜୈନିକ ବ୍ୟକ୍ତିଠାରୁ କିଣିଥିବା ୪୦ ଏକର ଜମିର ପଟ୍ଟା କାରଖାନା କର୍ତ୍ତୃପକ୍ଷଙ୍କୁ ମିଳିଥିଲା। କିନ୍ତୁ ଇଡ୍‌କୋ, ଜଙ୍ଗଲ ଓ ଅନାବାଦି ଜମିର କାଗଜପତ୍ର ଅଛି କି ନାହିଁ ସନ୍ଦେହ! କ୍ଷତି ଦର୍ଶାଇ କର୍ତ୍ତୃପକ୍ଷ କାରଖାନାକୁ ବନ୍ଦ କରି ଦେଇଥିଲେ। ୨୦୦୩ରୁ କାର୍ଯ୍ୟକ୍ଷମ ଆଧୁନିକ୍‌ ମେଟାଲିକ୍ସ ୨୦୧୭ ମେ’ରେ ବନ୍ଦ ହୋଇଥିଲା। କାରଖାନାରେ କାମ କରୁଥିବା ପ୍ରାୟ ୧୨୦୦ରୁ ଅଧିକ ସ୍ଥାୟୀ ଶ୍ରମିକ ଜୀବିକା ହରାଇଥିଲେ। ୨୦୨୦ ମାର୍ଚ୍ଚରେ ଲିବର୍ଟି ହାଉସ୍‌ କାରଖାନାକୁ କିଣିଥିଲେ। ଲିବର୍ଟି ହାଉସ୍‌ କାରଖାନା ନେବା ପରେ ସମ୍ପ୍ରସାରଣ ନାଁରେ ପ୍ରାୟ ୪୦ ଏକର ସରକାରୀ ଜାଗାକୁ ନିଜ କବ୍‌ଜାକୁ ନେଇ ପାଚେରୀ ନିର୍ମାଣ କାମ ଆରମ୍ଭ କରି ଦେଇଛି ବୋଲି ଅଭିଯୋଗ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ୧୪୩ ନଂ ଜାତୀୟ ରାଜପଥକୁ ଲାଗି ପ୍ରାୟ ୧ କି.ମି. ପର୍ଯ୍ୟନ୍ତ ସରକାରୀ ଜାଗାକୁ ମଧ୍ୟ କାରଖାନା ମାଡି ବସିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଜାତୀୟ ରାଜପଥ ପାର୍ଶ୍ବ ଜମି ଅଧିଗ୍ରହଣ କରିବା ପୂର୍ବରୁ କର୍ତ୍ତୃପକ୍ଷ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନିଆଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ପୁରୁଣା ଆଧୁନିକ ମେଟାଲିକ୍ସରେ କାମ କରୁଥିବା ୧୨୦୦ ଶ୍ରମିକଙ୍କୁ ନିଯୁକ୍ତି ଦିଆ ଯାଇଛି। ୨୦୨୦ ନଭେମ୍ବରରୁ କାରଖାନାରେ ଉତ୍ପାଦନ ଆରମ୍ଭ ହୋଇଛି। ବର୍ତ୍ତମାନ ସ୍ଥାୟୀ ଓ ଅସ୍ଥାୟୀ ପ୍ରାୟ ୩ ହଜାରରୁ ଅଧିକ ଶ୍ରମିକ ସେଠାରେ କାମ କରୁଛନ୍ତି।