ସମ୍ବଲପୁର : ବିଦ୍ୟାର୍ଥୀଙ୍କ କ୍ୟାମ୍ପସ୍ ନିଯୁକ୍ତି ପାଇଁ ପ୍ରଥମ ବର୍ଷରୁ ପ୍ରଶଂସା ସାଉଁଟି ଆସିଥିବା ଆଇଆଇଏମ୍ ସମ୍ବଲପୁର ଚଳିତ ବର୍ଷ ନିଜର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। ଚଳିତ ବର୍ଷ ଏହି ଅନୁଷ୍ଠାନର ବିଦ୍ୟାର୍ଥୀ ମାନେ ୧୦୦% କ୍ୟାମ୍ପସ୍ ନିଯୁକ୍ତି ପାଇଛନ୍ତି। ଜଣେ ଜଣେ ବିଦ୍ୟାର୍ଥୀଙ୍କୁ ଏକାଧିକ କମ୍ପାନି ନିଯୁକ୍ତି ଅଫର୍ ପ୍ରଦାନ କରିଛନ୍ତି। କରୋନାର ଲହରି ଭିତରେ ବି ଚଳିତ ବର୍ଷ ୧୪୦ଟି କମ୍ପାନି ଆଇଆଇଏମ୍ ସମ୍ବଲପୁର ବିଦ୍ୟାର୍ଥୀଙ୍କୁ କ୍ୟାମ୍ପସ୍ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏଥିରେ ନିଲ୍ସେନ୍, ରିଲାଏନ୍ସ ରିଟେଲ୍, ରାମ୍କୋ ସିମେଣ୍ଟ, ଟେକ୍ ମହିନ୍ଦ୍ରା, ମାଇଣ୍ଡ-ଟ୍ରି, ଅମୁଲ, ବେଦାନ୍ତ, ଏଚ୍ସିଏଲ୍, ଏସ୍ବିଆଇ ଲାଇଫ୍, ଟାଟା ଷ୍ଟିଲ୍, ବିଏସ୍ଏଲ୍, ଆସେଞ୍ଚର୍, ଆଇବିଏମ୍, ବିଜୁ’ସ୍, ଇନ୍ଫୋସିସ୍, ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍, ଟ୍ରାଇଡେଣ୍ଟ ଗ୍ରୁପ୍, ବଜାଜ୍ ଆଲିଆଞ୍ଜ, ଜେଡ୍ଏସ୍ ଆସୋସିଏଟ୍ସ, ଡେଲୋଇଟ୍ ଇଣ୍ଡିଆ, କେପିଏମ୍ଜି, ଆର୍ନଷ୍ଟ ଆଣ୍ଡ ୟଙ୍ଗ୍ ପ୍ରମୁଖ ଥିଲେ ଯେଉଁମାନେ ଆଇଆଇଏମ୍ କ୍ୟାମ୍ପସ୍ ପରିଦର୍ଶନ କରି ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିଲେ। ଏହି କମ୍ପାନିମାନେ ଆଇଆଇଏମ୍ ଗ୍ରାଜୁଏଟ୍ ମାନଙ୍କୁ ମାର୍କେଟିଂ, ସେଲ୍ସ, ବିଏଫ୍ଏସ୍ଆଇ, ଅପରେସନ୍ସ, କନ୍ସଲ୍ଟିଂ, ଆନାଲିଟିକ୍ସ, ଆଇଟିଇଏସ୍ ଭଳି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନିଯୁକ୍ତି ଦେଇଛନ୍ତି। ସେହିପରି ଫିନ୍ଟେକ୍, ଇ-କମର୍ସ, ଏଫ୍ଏମ୍ସିଜି କମ୍ପାନି ଗୁଡ଼ିକରେ ଆଇଆଇଏମ୍ ସମ୍ବଲପୁର ବିଦ୍ୟାର୍ଥୀ ମାନେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଦବି ଗୁଡ଼ିକରେ ନିଯୁକ୍ତି ପାଇଛନ୍ତି।
ଚଳିତ ବର୍ଷ ନିଯୁକ୍ତି ପାଇଁ ଆସିଥିବା କମ୍ପାନି ସଂଖ୍ୟାରେ ୯୦% ଅବିବୃଦ୍ଧି ସହ ନୂଆ ପିଢ଼ିର ଆଇଆଇଏମ୍ ଗୁଡ଼ିକ ମଧ୍ୟରେ ସମ୍ବଲପୁର ନୂଆ ମାନକ ପ୍ରସ୍ତୁତ କରିଛି ଏବଂ ପୂର୍ବ ବର୍ଷ ଗୁଡ଼ିକର ନିଯୁକ୍ତିର ସମସ୍ତ ରେକର୍ଡକୁ ଅତିକ୍ରମ କରିଯାଇଛି। ଏହି ବ୍ୟାଚ୍ର ସର୍ବାଧିକ ବେତନ (ସିଟିସି) ବାର୍ଷିକ ୨୬.୪ ଲକ୍ଷ ଟଙ୍କା ରହିଛି। ସେହିପରି ସର୍ବାଧିକ ବେତନରେ ନିଯୁକ୍ତି ପାଇଥିବା ୨୫% ବିଦ୍ୟାର୍ଥୀଙ୍କ ହାରାହାରି ସିଟିସି ବାର୍ଷିକ ୧୪.୯୧ ଲକ୍ଷ ଟଙ୍କା ରହିଛି।
ଏହାଛଡ଼ା ଗ୍ରୀଷ୍ମକାଳୀନ ଇନ୍ଟର୍ନସିପ୍ ନିଯୁକ୍ତିରେ ମଧ୍ୟ ଆଇଆଇଏମ୍ ସମ୍ବଲପୁର ଚମତ୍କାର ପ୍ରଦର୍ଶନ କରିଛି। ଏଥିରେ ୧୧୦ଟି କମ୍ପାନି ଭାଗ ନେଇଥିଲାବେଳେ ବ୍ୟାଚ୍ର ସମସ୍ତ ୧୫୭ ଜଣ ବିଦ୍ୟାର୍ଥୀଙ୍କୁ ଇନ୍ଟର୍ନସିପ୍ ଅଫର୍ ମିଳିଛି। ଗୁଗୁଲ୍, ଆଦାନି ପୋର୍ଟସ୍, ଆଇଓସିଏଲ୍, ବ୍ୟାଙ୍କ ଅଫ୍ ବରୋଦା, ଆଇଏମ୍ସିଡି ଇଣ୍ଡିଆ, ବଜାଜ୍ ଆଲିଆଞ୍ଜ ଲାଇଫ୍ ଇନ୍ସ୍ୟୁରାନ୍ସ, ଡିଏସ୍ଏମ୍ ଗ୍ରୁପ୍, ଆଇବିଏମ୍, ଜଷ୍ଟଡାଏଲ୍, ଟାଟା ଷ୍ଟିଲ ବିଏସ୍ଏଲ୍, ଟିସିଏସ୍, ଭି-ଗାର୍ଡ, ଆଇସିଆଇସିଆଇ ବ୍ୟାଙ୍କ ଆଦି ନାଁ କରା ସଂସ୍ଥା ପ୍ରଥମ ଥର ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିଲେ। ଏହି ସଫଳତା ଉପରେ ପ୍ରତିକ୍ରିୟା ରଖି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର୍ ମହାଦେବ ପ୍ରସାଦ ଜୟସ୍ବାଲ କହିଛନ୍ତି ଯେ ଆମେ ପୁଣି ଥରେ ନିଜ ପୂର୍ବ ରେକର୍ଡରେ ଉନ୍ନତି ଆଣିବା ସହ ଅନୁଷ୍ଠାନ ପ୍ରତି ଥିବା ସମସ୍ତ ଭାଗୀଦାରଙ୍କ ଆଶାଠାରୁ ବି ଅଧିକ ଭଲ ପ୍ରଦର୍ଶନ କରିଛୁ। ବର୍ତ୍ତମାନ ବଜାରର ମାନ୍ଦା ପରିସ୍ଥିତି ସତ୍ତ୍ବେ ନିଜ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଏଭଳି ସଫଳତା ଲାଭ କରିଥିବା ଆମ ବିଦ୍ୟାର୍ଥୀ ମାନଙ୍କୁ ନେଇ ଆମେ ଗର୍ବିତ।
ଆଇଆଇଏମ୍ ସମ୍ବଲପୁରର ଚମକ, ୧୦୦% କ୍ୟାମ୍ପସ୍ ନିଯୁକ୍ତି, ଭାଗ ନେଲେ ୧୪୦ କମ୍ପାନି
/sambad/media/post_attachments/wp-content/uploads/2021/05/362db9f3-5124-41f4-b246-c5fa3fa4b87d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)