ଗୋଟିଏ ଗଛରେ ୧୦୦ ପ୍ରଜାତିର ଆମ୍ବ; କମାଲ କଲେ ବରଗଡ଼ର ଚାଷୀ

ବରଗଡ଼:  ବରଗଡ଼ର ଚାଷୀ ଗୋଟିଏ ଗଛରେ ୧୦୦ ପ୍ରଜାତିର ଆମ୍ବ ଫଳାଇ କମାଲ କରିଛନ୍ତି । ଆମ୍ବ ଖାଇବାକୁ କିଏବା ଭଲ ନପାଏ । ଆମ୍ବ ସମସ୍ତଙ୍କର ପ୍ରିୟ ଫଳ । ତେବେ ଆପଣ ଅନେକ ପ୍ରଜାତିର ଆମ୍ବ ଦେଖିଥିବେ । କିନ୍ତୁ ଆମ୍ବକୁ ନେଇ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ, ଯାହା ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଗୋଟିଏ ଗଛରେ ଫଳିଛି ୧୦୦ ପ୍ରଜାତିର ଆମ୍ବ । ଏକଥା ହୁଏତ ଆପଣ ସହଜରେ ବିଶ୍ୱାସ କରିପାରୁ ନଥିବେ । କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି, ବରଗଡ ଜିଲ୍ଲାର ଜଣେ ଚାଷୀ । କଠୋର ପରିଶ୍ରମ ଏବଂ ନିଜସ୍ୱ ଜ୍ଞାନକୌଶଳରେ ତାଙ୍କ ବାଡିରେ ଥିବା ଏକ ପୁରୁଣା ଆମ୍ବ ଗଛରେ କଲମୀ କରି ପ୍ରାୟ ୧୦୦ ପ୍ରଜାତିର ଦେଶୀ ଓ ବିଦେଶୀ ଆମ୍ବ ଫଳାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଗୋଟିଏ ଆମ୍ବ ଗଛରେ ୧୦୦ ପ୍ରଜାତିର ଆମ୍ବ ଫଳାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପାଲିବୁଗବୁଗା ଗ୍ରାମର ଚାଷୀ ଭି ଚନ୍ଦ୍ରା ରାଓ ।

ମାତ୍ର ପଞ୍ଚମ ଶ୍ରେଣୀ ପାଠ ପଢିଥିବା ଏହି ଚାଷୀ କାହାରି ସାହାଯ୍ୟ ନନେଇ ଗୋଟିଏ ଗଛରେ ଅନେକ ପ୍ରଜାତିର ଆମ୍ବ ଫଳାଇବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ । ୩-୪ଥର ବିଫଳ ହେବା ପରେ ବିଭିନ୍ନ ଗ୍ରାମରୁ ଦେଶୀ ବିଦେଶୀ ଆମ୍ବ ଡାଳ ସଂଗ୍ରହ କରି କଲମୀ କରିଥିଲେ । ଆଉ ନିଲମ, ଦଶେରୀ, ଆମ୍ରପଲ୍ଲୀ, ବାଇଗଣପଲେଇ, ତୋଟାପଲେଇ, ଗୁଲାବଖସ, ଅଲଫାନ୍ସୋ, ଲେଙ୍ଗଡା, ସୁନ୍ଦରୀ ସମେତ ପ୍ରାୟ ୧୦୦ ଉର୍ଦ୍ଧ୍ୱ ପ୍ରଜାତିର ଆମ୍ବକୁ ଗୋଟିଏ ଗଛରେ ଫଳାଇ ସେ ଉଦାହରଣ ସୃଷ୍ଟି କରିଛନ୍ତି ।

ପାଠ ସିନା ପଢିନାହାନ୍ତି, କିନ୍ତୁ କଠିନ ପରିଶ୍ରମ କରି ସେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ଆଉ ଆଖପାଖ ଅଂଚଳରେ ଭି ଚନ୍ଦ୍ରା ରାଓଙ୍କ ଭୂରି ଭୂରି ପ୍ରଂଶସା କରାଯାଉଛି ।

 

ସମ୍ବନ୍ଧିତ ଖବର