ଓଲଟିଲା ୧୦୨ ଆମ୍ବୁଲାନ୍ସ,ଅଳ୍ପକେ ବର୍ତ୍ତିଲେ ଚାଳକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଝରିଗାଁ ଉମରକୋଟ ରାସ୍ତାରେ ଥିବା କରମରୀ ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ୧୦୨ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଝରିଗାଁ ବ୍ଳକ ପାଣ୍ଡରାଗନ୍ଦୀ ଗ୍ରାମର ଗୋମତି ମାଝୀଙ୍କୁ ବିଳମ୍ବିତ ରାତିରେ ପ୍ରସବ ଜନୀତ ଯନ୍ତ୍ରଣା ହୋଇଥିଲା। ୧୦୨ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଉମରକୋଟରୁ ଓଡ଼ି ୧୦ଏନ ୮୪୬୬ ନମ୍ବର ଗାଡି ପାଣ୍ଡରାଗନ୍ଦୀ ଗ୍ରାମକୁ ଯାଇଥିଲା। ସେଠାରୁ ଗୋମତିଙ୍କୁ ନେଇ ଇଛାପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲା।

ଏହା ପରେ ୧୦୨ ଆମ୍ବୁଲାନ୍ସ ଉମରକୋଟ ଫେରୁଥିବା ବେଳେ ପ୍ରାୟ ରାତ୍ର ୨ଘଟିକା ସମୟରେ କରମରୀ ଗ୍ରାମ ପାଖରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଲେଉଟି ପଡିବା ସହ ଗଛରେ ପିଟି ହୋଇଯାଇଥିଲା। ସୌଭାଗ୍ୟବଶତଃ ଗାଡି ଚାଳକ ମନୋଜ କୁମାର କୁଲଝରିଆ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର