ଅଫ୍‌ଲା‌ଇନ୍‌ ମାଟ୍ରିକ୍‌ ପରୀକ୍ଷା; କେନ୍ଦ୍ରାପଡ଼ାରୁ ୧୦୪ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ

ଦୁଇଟି କେନ୍ଦ୍ର, ଛଅ ଦିନ ପରୀକ୍ଷା

କେନ୍ଦ୍ରାପଡ଼ା: ମାଟ୍ରିକ୍‌ ପରୀକ୍ଷା ପାସ୍‌ହାରରେ ଏଥର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା କେନ୍ଦ୍ରାପଡ଼ା ଜିଲ୍ଲା। ପରୀକ୍ଷା ନ ଦେଇ ଛାତ୍ରଛାତ୍ରୀଙ୍କ ପାସହାର ରହିଥିଲା ୯୮.୯୨ପ୍ରତିଶତ। ଅର୍ଥାତ୍‌ ପ୍ରତି ଶହେରେ ୯୯ ପିଲା ପାସ୍‌ କରିବା ଜିଲ୍ଲାରେ କେବଳ ନୂଆ ରେକର୍ଡ ସୃଷ୍ଟି କରିଥିଲା ତା’ ନୁହେଁ; ଜଗତ୍‌ସି˚ହପୁର, ଯାଜପୁର ପରେ ସାରା ରାଜ୍ୟରେ କେନ୍ଦ୍ରାପଡ଼ାର ସ୍ଥାନ ପାସ୍‌ହାରରେ ତୃତୀୟରେ ରହିଥିଲା। କିନ୍ତୁ ଏପ୍ରକାର ବିନା ପରୀକ୍ଷାରେ ହୋଇଥିବା ମୂଲ୍ୟାଙ୍କନକୁ ନେଇ କେନ୍ଦ୍ରାପଡ଼ା ସମେତ ସାରା ରାଜ୍ୟରେ ଅନେକ ଛାତ୍ରଛାତୀଙ୍କ ମଧୢରେ ଅସନ୍ତୋଷ ପ୍ରକାଶ ପାଇବା ପରେ ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ବିକଳ୍ପ ଭାବେ ଅଫଲାଇନ୍‌ ପରୀକ୍ଷା ବ୍ୟବସ୍ଥା କରିଥିଲା। ଅର୍ଥାତ୍‌ ଯେଉଁମାନେ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଅଫଲାଇନ୍‌ରେ ହଲ୍‌ରେ ବସି ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା। ଜୁଲାଇ ୧୫ତାରିଖ ଫର୍ମ ପୂରଣରେ ଶେଷ ତାରିଖ ଥିଲା। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମୁଦାୟ ୧୦୪ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ସୂଚନା ମିଳିଛି।

ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୧୦୨ପରୀକ୍ଷାର୍ଥୀଙ୍କ ମଧୢରୁ ୪୦ଜଣ ରେଗୁଲାର‌୍‌ ଥିବା ବେଳେ ୪୨ଜଣ ଏକ୍ସ-ରେଗୁଲାର‌୍‌ ଏବ˚ ୨୨କରେସପଣ୍ତେଣ୍ଟ୍‌ କୋର୍ସର ଛାତ୍ରଛାତ୍ରୀ ଅଛନ୍ତି। ରାଜ୍ୟର ସବୁବର୍ଗର ପିଲାଙ୍କୁ ମିଶାଇଲେ ଏହି ସ˚ଖ୍ୟା ହେଉଛି ୧୫ହଜାର ୨୭। ଆସନ୍ତା ୩୦ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ତାରିଖରେ ଶେଷ ହେବ। ଛଅ ଦିନ ଧରି ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଜିଲ୍ଲାରେ କେନ୍ଦ୍ରାପଡ଼ା ବାଳିକା ହାଇସ୍କୁଲ୍‌କୁ ପରୀକ୍ଷା କେନ୍ଦ୍ର କରାଯିବା ପାଇଁ ପ୍ରାଥମିକ ସ୍ତରରେ ନିଷ୍ପତ୍ତି ହୋଇଛି। ହେଲେ ବୋର୍ଡ ପକ୍ଷରୁ ଗୋଟିଏ ନୁହେଁ, ଦୁଇଟି କେନ୍ଦ୍ର କରିବାକୁ ପରିବର୍ତ୍ତିତ ନିର୍ଦେଶ ଆସିବା ପରେ ଏବେ ବିଭାଗୀୟ ଅଧିକାରୀ ଦ୍ବିତୀୟ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। କେନ୍ଦ୍ରପଡ଼ା ସହରାଞ୍ଚଳର ଯେଉଁ ଦୁଇଟି ହାଇସ୍କୁଲ୍‌କୁ କେନ୍ଦ୍ର କରିବାକୁ ପ୍ରସ୍ତାବ ରଖାଯାଇଛି, ସେଠାରେ ଟିକାକରଣ ଚାଲିଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଜିଲ୍ଳାପାଳଙ୍କ ସହିତ ଆଲୋଚନା ପରେ ଦ୍ବିତୀୟ ପରୀକ୍ଷା କେନ୍ଦ୍ର ଚିହ୍ନଟ ଚୂଡ଼ାନ୍ତ ହେବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଜିଲ୍ଲାରେ ୩୪୪ଟି ହାଇସ୍କୁଲ୍‌ର ୧୮ହଜାର ୯୯୮ପିଲାଙ୍କ ମଧ୍ୟରୁ ୧୮ହଜାର ୭୯୩ଜଣ ପିଲା ଏଥର ପାସ୍ କରିଥିଲେ। ସେମାନଙ୍କ ମଧ୍ୟରେ ୯ହଜାର ୨୮୨ ଛାତ୍ର ଏବଂ ୯ହଜାର ୫୧୧ଛାତ୍ରୀ ଥିଲେ। ୯୦ପ୍ରତିଶତ ବା ତା’ଠୁ ଅଧିକ ନମ୍ବର ରଖି ୭୬ଜଣ ‘ଏ–୧’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ୮୫୫ଜଣ ‘ଏ–୨’, ୨୩୮୮ ଜଣ ‘ବି–୧’, ୪୧୦୮ଜଣ ‘ବି–୨’, ୫୧୩୭ଜଣ ‘ସି’, ୪୫୩୫ଜଣ ‘ଡି’, ୧୬୯୪ଜଣ ‘ଇ’ ଗ୍ରେଡ୍‌ରେ ପାସ୍ କରିଥିଲେ। ଉଲ୍ଲେଖନୀୟ କଥା ଥିଲା ଯେ, ଜିଲ୍ଲାରେ ଏଥର ‘ଏ–୧’ଗ୍ରେଡ୍‌ରେ ରେକର୍ଡ ସଂଖ୍ୟକ ୭୬ ପିଲା ବାଜି ମାରିଥିଲେ।

ସମ୍ବନ୍ଧିତ ଖବର