ବାଲେଶ୍ୱର ଜିଲ୍ଲାରେ ୧୦୭ ଆକ୍ରାନ୍ତ, ପୁଣି ୨ ମୁଣ୍ଡ ନେଲା କରୋନା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନା ନେଉନାହିଁ। ଗତକାଲି ଶହେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆଜି ପୁଣି ଶହେ ଉପରେ ରହିଛି। ପ୍ରତିଦିନ ଏମିତି ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଶାସନର ବି କୌଣସି ନିଘା ନାହିଁ। ଯେଉଁଠି ଦେଖିବ ସବୁଠି ଭିଡ଼ାଭିଡ଼ି ଲୋକ। ନାକୁ ମାତ୍ର କରୋନା ସଚେତନତା। ପ୍ରକୃତରେ ଯଦି ଦେଖାଯିବ କରୋନାକୁ ନେଇ କେଉଁଠି ବି ସଚେତନତା ଦେଖିବାକୁ ମିଳୁନାହିଁ। ବଜାରଠୁ ନେଇ ବିଭିନ୍ନ ଗଳିକନ୍ଦି‌ରେ ଲୋକଙ୍କ ମେଳି। ଗାଁଗଣ୍ଡାରେ ତ ଆହୁରି ସାଙ୍ଘାତିକ ପରିସ୍ଥିତି। ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ମୁହଁରେ ନା ମାସ୍କ ଅଛି, ନା ସାମାଜିକ ଦୂରତା ରହୁଛି। ଯାହାଫଳରେ ସହରଠୁ ଏବେ ଗାଁ/ସାହିରେ କରୋନା ଭୟଙ୍କର ରୂପ ନେଲାଣି। ଗୋଟିଏ ଗୋଟିଏ ସ୍ଥାନରୁ ଏକାଥରକେ ୩୦/୪୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିଛିଦିନ ଭିତରେ ଜିଲ୍ଲାରେ ୮ ହଜାର ନିକଟତର ହେଲାଣି କରୋନା।

ସଂକ୍ରମଣ ବଢିବାର ଅନ୍ୟ ଏକ କାରଣ ହେଲା ପରୀକ୍ଷା। ପୂର୍ବରୁ ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀ ଯେତିକି ପରୀକ୍ଷା କରୁଥିଲେ, ଏବେ ଆଉ ହେଉନାହିଁ। ସେମିତି ଗୃହ ସଙ୍ଗରୋଧ କଥା ନ କହିବା ଭଲ। ବହୁ ଲୋକ ଆକ୍ରାନ୍ତ ହୋଇ ବି ବାହାରେ ବୁଲାବୁଲି କରୁଛନ୍ତି। ଯାହାଫଳରେ କରୋନା କମିବା ପରିବର୍ତ୍ତେ ହୁ ହୁ ହୋଇ ଆହୁରି ବଢିଚାଲିଛି। ପ୍ରଶାସନ ପକ୍ଷରୁ ବି କରୋନା ମୁକାବିଲା ଏବେ ବିପର୍ଯ୍ୟସ୍ତ ‌ହୋଇପଡ଼ିଛି କହିଲେ ଚଳେ। ନା କଟକଣା ନା କାର୍ଯ୍ୟାନୁଷ୍ଠାନ। କୋଭିଡ୍‌ କେୟାର ଓ ହସ୍‌ପିଟାଲରେ ବି ଦୁନିଆ ଅବ୍ୟବସ୍ଥା ବୋଲି ବହୁ ସମୟରେ ଅଭିଯୋଗ ହେଉଛି। ଜିଲ୍ଲାରେ ଆଜି କରୋନାରେ ୨ ମୁଣ୍ଡ ଯାଇଛି। ଜିଲ୍ଲାରେ ୩୫ ଜଣଙ୍କ ମୁଣ୍ଡ କରୋନାରେ ଯାଇସାରିଲାଣି। ଚଳିତ ମାସରେ ଆହୁରି ପରିସ୍ଥିତି ଅସମ୍ଭାଳ ହେବ ବୋଲି ଜଳଜଳ ଦେଖାଗଲାଣି।

ଅଧିକାଂଶ ବ୍ଲକ୍‌ରେ କରୋନା ଆକ୍ରାନ୍ତ ପ୍ରାୟ ୫ ଶହ ଛୁଇଁଲାଣି। ଏବେ ସବୁଠାରୁ ଅଧିକ ଆକ୍ରାନ୍ତ ରେମୁଣା ବ୍ଲକ୍‌ରେ ରହିଛି। ଏହି ବ୍ଲକ୍‌ରେ ୭୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ତଳକୁ ଥିବା ବାଲିଆପାଳ ବ୍ଲକ୍‌ରେ ୫୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ପୌରାଞ୍ଚଳରେ ୨ ହଜାର ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବି ପୌରାଞ୍ଚଳରେ ଅଧିକ ରହିଛି। ପୌରାଞ୍ଚଳରେ ୮ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ରେମୁଣାରେ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି।

ଆଜି ଜିଲ୍ଲାରେ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୦୧ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେଥିରୁ ୬ ଜଣ ଆକ୍ରାନ୍ତ ବାଲେଶ୍ବର ସହରର ଆଜିମାବାଦ, ଭୋଇସାହି, ଓଟି ରୋଡ୍‌, ସହଦେବଖୁଣ୍ଟା, ବାଲେଶ୍ୱର ଆଦି ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନେ ସମସ୍ତେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସବୁଠାରୁ ଅଧିକ ନୀଳଗିରି ବ୍ଲକ୍‌ରୁ ଆଜି ଚିହ୍ନଟ ହୋଇଛନ୍ତି। ଏହି ବ୍ଲକରେ ଆଜି ୨୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାହାନଗାରୁ ୧୨ ଜଣ, ବାଲିଆପାଳରୁ ୧୦ ଜଣ, ବସ୍ତାରୁ ୪ ଜଣ, ଜଳେଶ୍ୱରରୁ ୨ ଜଣ, ଭୋଗରାଇରୁ ୪ ଜଣ, ଔପଦାରୁ ୨ ଜଣ, ରେମୁଣାରୁ ୩ ଜଣ, ସଦରରୁ ୧୬ ଜଣ, ସିମୁଳିଆରୁ ୧୨ ଜଣ, ସୋରରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁସ୍ଥ ରୋଗୀଙ୍କ ସଂଖ୍ୟା ଜିଲ୍ଲାରେ ୬୪୩୩ ହୋଇଥିବା ବେଳେ ୧୩୩୩ ଜଣ ରୋଗୀ ସକ୍ରିୟ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର