ପଞ୍ଚାୟତ ନିର୍ବାଚନ: ଜିଲ୍ଲା ପରିଷଦ ପ୍ରାର୍ଥୀ ସମେତ ୩ ପ୍ରାର୍ଥୀଙ୍କ ନାମରେ ୧୦୭ ନୋଟିସ୍‌

ହେମଗିର ତହସିଲ ଅଫିସ ଆଗରେ ପ୍ରତିବାଦ

ସୁନ୍ଦରଗଡ଼/ହେମଗିର: ପ୍ରାର୍ଥୀଙ୍କ ନାମରେ ୧୦୭ ନୋଟିସ୍। ହେମଗିର ତହସିଲଦାରଙ୍କ କୋର୍ଟରୁ ହେମଗିର ବ୍ଲକ୍ ‘କ’ ଜିଲ୍ଲା ପରିଷଦ ଜୋନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସିପିଆଇ ପ୍ରାର୍ଥୀ ନରେଶ ମେହେରଙ୍କ ସହ ଗୋପାଳପୁର ସରପଞ୍ଚ ପଦବି ପାଇଁ ଲଢୁଥିବା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ପୂରଵୀ ନାଏକ ଓ ମୁଣ୍ଡେରକ୍ଷେତ ସମିତିସଭ୍ୟ ପ୍ରାର୍ଥୀ ବୀରେନ୍ଦ୍ର ପ୍ରଧାନଙ୍କୁ ଜାରି ହୋଇଛି ନୋଟିସ। ଗାଁ ରାସ୍ତାରେ କୋଇଲା ପରିବହନ ଓ ପ୍ରଦୂଷଣ ବିରୋଧରେ ଜନ ଆନ୍ଦୋଳନ ଛିଡା କରିଥିବା ଜନଶକ୍ତି ବିକାଶ ପରିଷଦ ନାମକ ଏକ ନିର୍ଦ୍ଦିଷ୍ଟ ସଂଗଠନର ସଭାପତି ଓ ସକ୍ରିୟ ସଦସ୍ଯ ଥାଇ ନିର୍ବାଚନ ଲଢୁଥିବା ଏହି ୩ ପ୍ରାର୍ଥୀଙ୍କ ନାମରେ ନିର୍ବାଚନ ପ୍ରଚାର ସମୟରେ ଅଭିଯୁକ୍ତ ଦର୍ଶାଇ ୧୦୭ ଲଗାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୩ ପ୍ରାର୍ଥୀ ନୋଟିସର ପ୍ରତିବାଦ କରି ତହସିଲ୍ ଅଫିସ ଆଗରେ ଧାରଣା ଦେଇଛନ୍ତି।

ନିର୍ବାଚନରେ ୩ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ବଢୁଥିବାରୁ କୌଣସି ମତେ ତାକୁ ହ୍ରାସ କରି ଲଢେଇରୁ ହଟାଇଦେବାକୁ ଶାସକ ଦଳର ଚାପରେ ଏହି ନୋଟିସ ଜାରି କରାଯାଇଥିବା ସିପିଆଇ ନେତା ରାଜେନ୍ଦ୍ର ନାଏକ ଅଭିଯୋଗ କରିଛନ୍ତି। ତହସିଲଦାର ଓ ପୁଲିସ ଧାରଣାସ୍ଥଳକୁ ଆସି ପ୍ରାର୍ଥୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରାର୍ଥୀମାନେ ଧାରଣାରୁ ହଟିଯିବାକୁ ମନା କରି ଦେଇଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଧାରଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଏମସିଏଲର କୋଇଲା ଖଣି ବିସ୍ଥାପନ ଓ ପରିବେଶ ସର୍ତ୍ତର ଖୋଲା ଉଲ୍ଲଂଘନ କରି ବାଙ୍କିବାହାଲ ଛକରୁ ଟପରିଆ ରାସ୍ତାରେ କୋଇଲା ପରିବହନ଼ଜନିତ ଯନ୍ତ୍ରଣାରେ ଅଞ୍ଚଳବାସୀ କଲବଲ ହୋଇ ଆସୁଛନ୍ତି। ଏସ୍ଥିତିରେ ଜନଶକ୍ତି ବିକାଶ ପରିଷଦ ଏହା ବିରୋଧରେ ସ୍ବର ଉଠାଇ ଅଞ୍ଚଳରେ ବଡ଼ ଧରଣର ଆନ୍ଦୋଳନ କରିଥିଲା। ଫଳରେ ମାସ ମାସ କୋଇଲା ପରିବହନ ବନ୍ଦ ରହିଥିଲା। ଯାହା ଏମସିଏଲ କର୍ତ୍ତୃପକ୍ଷ, ଟ୍ରାନ୍ସପୋର୍ଟରଙ୍କ ସହ କୋଇଲା ମାଫିଆଙ୍କ ନିଦ ହଜାଇ ଦେଇଥିଲା। ଏବେ ସେହି ସଂଗଠନ ସଦସ୍ଯମାନେ ପଞ୍ଚାୟତ ରାଜନୀତିକୁ ପାଦ ବଢାଇଥିବାରୁ ଏମସିଏଲ, ଟ୍ରାନସପୋର୍ଟର, ମାଫିଆମାନେ ପ୍ରମାଦ ଗଣୁଛନ୍ତି। ଏହିକ୍ରମରେ ପ୍ରଶାସନର ଏ ନୋଟିସ ଉଦ୍ଦେଶ୍ୟମୂଳକ ବୋଲି ସିପିଆଇ ଅଭିଯୋଗ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି।

ସମ୍ବନ୍ଧିତ ଖବର