ଖୋର୍ଦ୍ଧା: ଅନ୍ୟ ରାଜ୍ୟ ତୁଳନାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କମ୍ ଦରମା ପ୍ରଦାନ କରାଯାଉଛି ଓ ସେମାନଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ ଏଭଳି ୬ ଦଫା ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲାରେ ନିୟୋଜିତ ଥିବା ୩୦ରୁ ଉର୍ଦ୍ଧ୍ବ ୧୦୮ ଆମ୍ବୁଲାନ୍ସର ଚାଳକ, ଆପତ୍କାଳୀନ ଭେଷଜ ବୈଷୟିକ ସହାୟକ, ପାଇଲଟ ଓ ସହାୟକମାନେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବିପତ୍ର ଦେଇଥିଲେ । ଦାବିପତ୍ର ସମ୍ପର୍କରେ ୧୦୮ ଆମ୍ବୁଲାନ୍ସ ସଂଘର ସଭାପତି ଶ୍ରୀରାମଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି ସେମାନେ ୨୦୧୩ ମସିହାରୁ ଏହି କାର୍ଯ୍ୟରେ ମାସିକ ୧୦ ହଜାର ଓ ତାଠାରୁ କମ୍ ଦରମାରେ କାମ କରୁଛନ୍ତି ।
ଅନ୍ୟ ରାଜ୍ୟଗୁଡ଼ିକରେ ଆମ୍ବୁଲନ୍ସର ନିୟୋଜିତ କର୍ମଚାରୀଙ୍କୁ ଓଡ଼ିଶାରେ ଦିଆଯାଉଥିବା ବେତନ ଠାରୁ ଢେର ଅଧିକ ଦରମା ମିଳୁଛି । ରାଜ୍ୟରେ ସେମାନଙ୍କୁ ୮ ଘଣ୍ଟା ପରିଶ୍ରମ ନିଶ୍ଚିତ କରିବା ସହ ଇଏମ୍ଟିଙ୍କୁ ୩୦ହଜାର, ପାଇଲଟଙ୍କୁ ୨୫ ହଜାର, ସହାୟକଙ୍କୁ ୨୦ହଜାର ଓ ଆଡ୍ଭାନ୍ସ ଲାଇଫ୍ ସପୋର୍ଟ ଇଏମ୍ଟିଙ୍କୁ ୩୫ହଜାର ଟଙ୍କା ଦରମା ପ୍ରଦାନ କରାଯାଉଛି । ବାର୍ଷିକ ଦରମା ବୃଦ୍ଧି କରାଯିବା ସହ ସେମାନଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆଇନଗତ ବ୍ୟବସ୍ଥା କରାଯାଉ ।
ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁରେ ଅନୁକମ୍ପାମୂଳକ ରାଶି ୨୦ଲକ୍ଷ ଓ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ସେମାନେ ଅନୁରୋଧ କରିଛନ୍ତି । ଆଜି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କୁ ଭେଟି ଏନେଇ ଜଣାଇବେ ବୋଲି କହିଛନ୍ତି । ଆଜିର ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାକେଶ ରୋଶନ ମହାନ୍ତି, ଶୁଭେନ୍ଦୁ ସାମଲ, କାର୍ତିକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।