ବଦଳିକୁ ନେଇ କ୍ଲଷ୍ଟର ଲିଡରଙ୍କ ମାଡରେ ୧୦୮ ଚାଳକ ଆହତ

ବଦଳି ପାଇଁ ମାଗିଥିଲେ ୩୦ ହଜାର

ଯାଜପୁର : ଯାଜପୁର ଜିଲ୍ଲାରେ ୧୦୮ ସେବା ଦୁଇଟି କ୍ଲଷ୍ଟରରେ କାର୍ଯ୍ୟ କରୁଥିବା ବେଳେ କ୍ଲଷ୍ଟର ୧ରେ ବଦଳିକୁ କେନ୍ଦ୍ର କରି ଜଣେ ୧୦୮ ଆମ୍ବୁଲାନସ ଡ୍ରାଇଭରଙ୍କୁ କ୍ଲଷ୍ଟର ଲିଡର ମାଡ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଡ୍ରାଇଭର ଜଣଙ୍କ ଟାଉନ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।

ସୂଚନା ଅନୁସାରେ ଦଶରଥପୁର ବ୍ଲକ କାଟିଆ ଅଞ୍ଚଳର ପ୍ରଶାନ୍ତ କୁମାର ସାମଲ ୨୦୧୪ ମସିହାରେ ୧୦୮ ସେବାରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେବେ ପ୍ରଥମେ ସେ ୪/୫ ବର୍ଷ ଦଶରଥପୁର ବ୍ଲକ କାର୍ଯ୍ୟାଳୟରେ ରହୁଥିବା ୧୦୮ ଗାଡିରରେ କାର୍ଯ୍ୟ କରୁଥିଲେ। ଫଳରେ ତାଙ୍କର ଘର ନିକଟରେ ରହିଥିବାରୁ କାର୍ଯ୍ୟ କରିବାକୁ ସୁବିଧା ହେଉଥିଲା। କିନ୍ତୁ ମନ୍ଦ ଉଦେଶ୍ୟ ରଖି ତାଙ୍କୁ ୨୦୧୯ ମସିହାରେ ଯାଜପୁର ଟାଉନ ଥାନାରେ ରହୁଥିବା ଗାଡିକୁ ବଦଳି କରାଯାଇଥିଲା। ଏହି ବଦଳି ପରେ ତାଙ୍କ ଖାଇବା ପିଇବା ସମସ୍ୟା ଲାଗି ରହିଥିଲା।

ଏନେଇ  ସାମଲ କ୍ଲଷ୍ଟର ୧ର କ୍ଲଷ୍ଟର ଲିଡର ଚନ୍ଦ୍ରକାନ୍ତ ପାତ୍ରଙ୍କୁ ଦଶରଥପୁର ବଦଳି ପାଇଁ ଅନୁରୋଧ କରିଥିଲେ।  ସେ ୩୦ ହଜାର ଟଙ୍କା ଦେଲେ ବଦଳି ହେବାର କହିଥିବା ବେଳେ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଡକାଇଥିଲେ। ତେବେ ପ୍ରଶାନ୍ତ ସେଠାରେ ପହଞ୍ଚି ବଦଳି କଥା କହିବାରୁ ଟଙ୍କା ନଆଣି କ’ଣ ବଦଳି ଆଶା କରୁଛୁ କହି ଶ୍ରୀ ପାତ୍ର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ।

ଏଥିରେ ପ୍ରଶାନ୍ତ ହାତ ଉଠାଇବାକୁ  ଚନ୍ଦ୍ରକାନ୍ତ ପାତ୍ର ତାଙ୍କ ହାତକୁ କାମୁଡି କ୍ଷତାକ୍ତ କରିଥିଲେ। ତେବେ ଏପରି ଘଟଣା ପରେ ପ୍ରଶାନ୍ତ ଚନ୍ଦ୍ରକାନ୍ତ ପାତ୍ରଙ୍କ ବିରୁଦ୍ଧରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଅନ୍ୟ ପଟେ ଅଭିଯୋଗ ସଂପର୍କରେ  ପାତ୍ରଙ୍କ ପ୍ରତିକ୍ରିୟା ଲୋଡା ଯାଇଥିଲେ ମଧ୍ୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର