ସେରଗଡ଼ ଧାନ ମଣ୍ଡିରେ ଯୋଗାଣ ବିଭାଗର ଚଢ଼ଉ, ୧୦୯ ବସ୍ତା ଧାନ ଜବତ

ରୁପ୍ରା: ନର୍ଲା ବ୍ଲକ ତୁଲାପଡ଼ା ପେକ୍ତସ ଅନ୍ତର୍ଗତ ସେରଗଡ଼ ମଣ୍ଡିରେ ଶନିବାର ଯୋଗାଣ ବିଭାଗ ଚଢ଼ଉ କରି ୧୦୯ ବସ୍ତା ଧାନ ଜବତ କରିଛି। ଏହି ଚଢ଼ଉରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଯୋଗାଣ ଅଧିକାରୀ ଧୁମାରାମ ମୁର୍ମୁ ଓ ନର୍ଲା ଯୋଗାଣ ନିରୀକ୍ଷକ ସନ୍ତୋଷ ପ୍ରଧାନ ମଣ୍ଡିରେ ଏଣ୍ଟ୍ରି ହୋଇଥିବା ତାଳିକା ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଚାଷୀ ପୀତାମ୍ୱର ନାଏକଙ୍କ ନାମରେ ୧୬୪ ବସ୍ତା ଧାନ ଏଣ୍ଟ୍ରି ହୋଇଥିବା ଜଣାପଡ଼ିଥିଲା। ଅଧିକାରୀମାନଙ୍କୁ ସନ୍ଦେହ ହେବାରୁ ପୀତାମ୍ୱରଙ୍କୁ କେତେ ଧାନ ଆଣିଛ ବୋଲି ପଚାରିଥିଲେ।

ପୀତାମ୍ୱର ୬୦ ବସ୍ତା ଧାନ ଆଣିଥିବା କହିଥିଲେ। ପରେ ସେହି ଧାନବସ୍ତା ଗଣିବାରୁ ୧୬୯ ବସ୍ତା ହୋଇଥିଲା। ବଳକା ଧାନ ବାବଦରେ ତାଙ୍କୁ ପଚାରିବାରୁ ସେ ଗୋବିନ୍ଦ ଗୁରୁଙ୍କ ଗାଡ଼ିରେ ଧାନ ଆଣିଥିଲେ, ଏଣୁ ବଳକା ୧୦୯ ବସ୍ତା ଧାନ ବାବଦରେ ଗୋବିନ୍ଦ ଜାଣିବେ ବୋଲି କହିଥିଲେ। ଗୋବିନ୍ଦଙ୍କୁ ପଚାରିବାରୁ ସେହି ଧାନ ବାବଦରେ ଜାଣିନଥିବା କହିଥିଲେ। ଫଳରେ ସେହି ୧୦୯ ବସ୍ତା ଧାନର ଦାବିଦାର କେହି ନଥିବାରୁ ତୁଲାପଡ଼ା ପେକ୍ସ ସହସମ୍ପାଦକ ଥବିର ରଣାଙ୍କଠାରୁ ଉକ୍ତ ଧାନ ଜବତ କରିଥିବା ନର୍ଲା ଯୋଗାଣ ନିରୀକ୍ଷକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହାର ତଦନ୍ତ ସହ ସମସ୍ତ ମଣ୍ଡିକୁ ଯାଇ ତଦନ୍ତ କରିବାକୁ ଚାଷୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର