ଛେଳି ବେପାରୀଙ୍କୁ ମାଡ଼ ମାରି ଲୁଟ ଘଟଣାରେ ୧୧ ଜଣ ଗିରଫ, ୧୨ ଲକ୍ଷ ୫୯ ହଜାର ଟଙ୍କା ଜବତ

ବ୍ରହ୍ମପୁର/ଶେରଗଡ଼: ଗତ ମାସ ୨୭ ତାରିଖ ରାତିରେ ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼ କୁଲାଗଡ଼ ରାସ୍ତାରେ ଛେଳି ବେପାରୀ ବି. ବାୟା ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀ ଏ ଗଣେଷ ଏବଂ ଭି. ତ୍ରିପତି ପାତ୍ରଙ୍କୁ ମାଡ଼ ମାରି ୧୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ ଘଟଣାରେ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅନୀଲ ଡାକୁଆ, କୃଷ୍ଣ ଚନ୍ଦ୍ର ଜେନା, ମିଲି କେଶବ ବେହେରା, ଲକ୍ଷ୍ମୀ ନାରାୟଣ ବେହେରା, ସୁଜିତ ବିଷୋୟୀ, ରାଜେଶ୍ୱର ନାୟକ, ଶ୍ରୀକାନ୍ତ ଗୌଡ଼, କବି ଗୌଡ଼, ବସନ୍ତ କୁମାର ବିଷୋୟୀ, ଅମର ନାଥ ମୁନୀ, ଅରୁଣ ନାୟକ। ସେମାନଙ୍କ ଠାରୁ ଗୋଟିଏ ଖେଳନା ବନ୍ଧୁକ, ଚାରି ଗୋଟି ବାଇକ, ଗୋଟିଏ ପଞ୍ଜା, ଗୋଟିଏ ଖଣ୍ଡା , ୮ଟି ମୋବାଇଲ ଜବତ କରାଯାଇଥିବା ନେଇ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ ଆଜି ବଡ଼ଗଡ଼ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ବଡ଼ଗଡ଼ ଥାନା ଅନ୍ତର୍ଗତ କେଳୁଆପଲ୍ଲୀ ଗ୍ରାମର ବି ବାୟା ପାତ୍ର ନିଜ ଦୁଇ ସହଯୋଗୀ ଏ. ଗଣେଷ ଏବଂ ଭି. ତ୍ରିପତି ପାତ୍ର ଙ୍କ ସହ ଛେଳି ବିକ୍ରି କରିବା ପାଇଁ ଇଚ୍ଛାପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଯାଇଥିଲେ। ଛେଳି ବିକ୍ରି ସରିବା ପରେ ବିକ୍ରି ହୋଇଥିବା ଟଙ୍କା ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଇଚ୍ଛାପୁର ପହଞ୍ଚିବା ପରେ ଗାଁକୁ ଯିବା ପାଇଁ କବି ଗୌଡ଼ ନାମକ ଜଣେ ଡାଲା ଅଟୋ ଡ୍ରାଇଭରଙ୍କୁ ଫୋନ କରିଥିଲେ। ଏହା ପରେ କବି ଗୌଡ଼ ହେଲପର ବସନ୍ତ ବିଷୋୟୀଙ୍କୁ ଧରି ଇଚ୍ଛାପୁର ପହଞ୍ଚିଥିଲେ। ତିନି ଛେଳି ବେପାରୀ ଅଟୋର ଡାଲା ଉପରେ ବସି ଗାଁକୁ ଫେରୁଥିବା ବେଳେ କୁଲାଗଡ଼ ବାଦଗଡ଼ ରାସ୍ତାରେ ରାତି ୧୨ ଟା ସମୟରେ ପୂର୍ବ ଯୋଜନା ମୁତାବକ ଚାରି ବାଇକ ରେ ଆଠ ଜଣ ଦୁର୍ବୁତ୍ତ ଆସିଲେ। ଏହି ଛେଳି ବେପାରୀଙ୍କୁ ଅଟକାଇ ମାଡ଼ ମାରି ଟଙ୍କା ନେଇ ଯାଇଥିଲେ। ଏଥିସହ ସେମାନଙ୍କୁ ଠାରୁ ୧୨ ଲକ୍ଷ ୫୯ ହଜାର ଟଙ୍କା, ମୋବାଇଲ, ଲୁଟ ପାଇଁ ବ୍ୟବହୃତ ୪ଟି ବାଇକ, ଖଣ୍ଡା, ଖେଳନା ବନ୍ଧୁକ, ପଞ୍ଜା ଜବତ ହୋଇଥିଲା। ଏହି ଦୁର୍ବୁତଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମସ୍ତଙ୍କୁ ଗିରଫ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ. ଡ଼ି. ପି. ଓ ସୂର୍ଯ୍ୟମଣି ପ୍ରଧାନ, ଧରାକୋଟ ଥାନା ଅଧିକାରୀ ସହଦେଵ ମହାପାତ୍ର, ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର