ସୁନା ଦୋକାନୀଙ୍କୁ ଆକ୍ରମଣ ଓ ଲୁଟ ଘଟଣା: ୧୧ ଡକାୟତ ଗିରଫ, ୫ ଲକ୍ଷ ଟଙ୍କା ଓ ସୁନା-ରୁପା ଗହଣା ଜବତ

ଯାଜପୁର: ଧର୍ମଶାଳା ଥାନା ଅଧୀନ ବ୍ରହ୍ମବରଦାର ସୁନା ଦୋକାନୀ ମହେଶ୍ୱର ସାହୁଙ୍କୁ ଆକ୍ରମଣ କରି ଟଙ୍କା ଓ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ଯାଜପୁର ପୁଲିସ। ଏହି ଘଟଣା ସହିତ ଜଡିତ ୧୧ ଜଣ ଡକାୟତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଏସ୍‌କେ ବାସରା ଅଲ୍ଲୀ (୨୨), ଜାକିର ଖାନ (୩୪), ଏସ୍‌କେ ଇରଫାନ୍‌ (୨୨), ଏସ୍‌କେ ଅରଫାନ (୩୨) ଓ ବାବୁ ଓରଫ ବିମଳ କୁମାର ଦାସ (୨୬) ଅନ୍ୟ ଅପରାଧିକ ଘଟଣା ସହିତ ଜଡ଼ିତ ଥିଲେ।

ଯାଜପୁର ଏସ୍‌ପି ଚରଣ ସିଂହ ମୀନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୁଲିସ ଡକାୟତମାନଙ୍କ ଠାରୁ ୫ ଲକ୍ଷ ୮୯ ହଜାର ୧୦୦ ଟଙ୍କା, ୧୨କିଲୋ ୨୦୦ ଗ୍ରାମ ରୁପା, ୭୬ ଗ୍ରାମ ସୁନା, ଗୋଟିଏ ପିସ୍ତଲ, ୩ଟି ବାଇକ୍‌, ଚୋରୀ ସ୍କୁଟି, ୧୧ଟି ମୋବାଇଲ ଫୋନ୍‌, ଗୋଟିଏ ଚାପଡ଼ (ମାରଣାସ୍ତ୍ର) ଓ ଗୋଟିଏ ଛୁରୀ ଜବତ କରିଛି। ପୁଲିସ କହିଛି ଡକାୟତମାନେ କଟକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଥିବା ସୁନା ଦୋକାନ, ପେଟ୍ରୋଲ ପମ୍ପ ଓ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରୁଥିଲେ।

 ଅଭିଯୋଗ ମିଳିବା ପରେ ପୁଲିସ ମାମଲା ରୁଜୁ କରି ଯାଜପୁର ରୋଡ ଏସଡିପିଓଙ୍କ ନେତୃତ୍ୱରେ ୪ଟି ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ରେ ଧର୍ମଶାଳା, ବାଲିଚନ୍ଦ୍ରପୁର, ବଡ଼ଚଣା ଓ ସାଇବର ସେଲ୍‌ର ଏସ୍‌ଆଇ ଥିଲେ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ସ୍ବର୍ଗତଃ ନାରାୟଣ ସାହୁଙ୍କ ପୁଅ ତଥା ସୁନା ବ୍ୟବସାୟୀ ମହେଶ୍ୱର ସାହୁ ନିଜ ଦୋକାନ ବନ୍ଦ କରି ସୁନାଗହଣା ନେଇ ସ୍କୁଟିରେ ବନ୍ଧଢିହସ୍ଥିତ ଘରକୁ ଯାଉଥିଲେ। ରାତି ପ୍ରାୟ ଆଠଟା ସମୟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବା ସହ ୮୦୦ ଗ୍ରାମ ସୁନା ଓ ୧୫ କିଲୋ ରୁପା ଅଳଙ୍କାର, ୧ ଲକ୍ଷ ଟଙ୍କା ସହ ସ୍କୁଟି (ଓଡି୩୪ଏଫ-୮୯୦୪)କୁ ନେଇ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ମହେଶ୍ୱରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଥିଲା।

ସମ୍ବନ୍ଧିତ ଖବର