କଟକ ସହରରୁ ଆଜି ୪୩ ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୧ ଜଣ

କଟକ: ଆଜି କଟକ ସହରର ବିଭିନ୍ନ ସ୍ଥାନରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୬୪ ବର୍ଷିଅ ପୁରୁଷ କୋଭିଡ ଯୋଦ୍ଧାଙ୍କ ସମେତ ୫ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ହୋମ କ୍ୱାରେଣ୍ଟାଇନରୁ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଗତକାଲି କଟକ ସହରରୁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ୩ ଜଣ ପୁରୁଷ (ବୟସ ୨୪, ୫୬ ଓ ୩୫) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ଜଣେ ୬୬ ବର୍ଷିଅ ପୁରୁଷ ସରକାରୀ କ୍ୱାରେଣ୍ଟାଇନରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

ବେହେରା ସାହି ମାଲଗୋଦାମ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ ମହିଳା ହୋଇଥିବା ବେଳେ ୬ ଜଣ ପୁରୁଷ । ଏମାନଙ୍କର ବୟସ ୧୧ରୁ ୬୫ ବର୍ଷ । ସେହିପରି ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ଜୋନରୁ ୪ ଜଣ ମହିଳାଙ୍କ ସମେତ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ଜଣେ ୭ ବର୍ଷର ବାଳକ ଓ ଜଣେ ୭୫ ବର୍ଷିଅ ବୃଦ୍ଧ ବି ଅଛନ୍ତି । ସେହିପରି ମହାନଦୀ ବିହାରରୁ ଜଣେ କୋଭିଡ ଯୋଦ୍ଧା, ଓଡ଼ିଆ ବଜାରରୁ ଜଣେ ମହିଳା, ମହତାବ ନଗରରୁ ଜଣେ ୧୫ ବର୍ଷିଅ ବାଳକ, ବକ୍ସି ବଜାରୁ ଜଣେ ୪୨ ବର୍ଷିଅ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ୧୧ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସୁତାହାଟ, ବକ୍ସିବଜାର, ତେଲେଙ୍ଗା ବଜାର, ସାମନ୍ତ ସାହି, ମହାନଦୀ ବିହାରରୁ ଜଣେ ଲେଖାଏଁ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଶଗଡ଼ିଆ, ବିଡ଼ାନାସୀ, ସାମନ୍ତ ସାହି ଓ ବେହେରା ସାହିରୁ ଜଣେ ଲେଖାଏଁ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବକ୍ସି ବଜାରରୁ ଜଣେ ଓ ମଧୁପାଟଣାରୁ ଜଣେ କୋଭିଡ ଯୋଦ୍ଧା ମଧ୍ୟ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କଟକ ସହରରୁ ଏଯାଏଁ ୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୪୭୮ ଜଣ ସୁସ୍ଥ ହୋଇଥିବା ବେଳେ ୪୬୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧିତ ଖବର