ବାଳକାଟି ପଞ୍ଚୁଦୋଳ ମେଲଣରେ ବିଶୃଙ୍ଖଳା: ଦିଅଁ ଭୋଗଖାଇବାକୁ ନେଇ ଗଣ୍ଡଗୋଳ, ଜେଲଗଲେ ୧୧

ବାଲିଅନ୍ତା: ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଲଣ କୋଭିଡ଼ କଟକଣା ଭିତରେ ନିରାଡମ୍ବର ଭାବେ ସଂପାଦନ ହୋଇଛି । ବିନା ଆତସବାଜି ପ୍ରତିଯୋଗିତା  ରୋଶଣୀ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ  ଦୁଇଦିନ ଧରି ମେଲଣ ଅନୁଷ୍ଠିତ ହୋଇଥିଲା । ହେଲେ ଦିଅଁ ଭୋଗ ଖାଇବାକୁ କେନ୍ଦ୍ର କରି ଗତକାଲି ସକାଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଭୀଷଣ  ଗଣ୍ଡଗୋଳ ଘଟିଥିଲା । ପୁଲିସ ଏହି ଗଣ୍ଡଗୋଳ ମାମଲାରେ  ୧୧ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଂଜୁର ହୋବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟ ପକ୍ଷରୁ ପୁଲିସ କାହାରିକୁ ଗିରଫ କରିନଥିବା ସୂଚନା ମିଳିଛି । ପୁଲିସ ସୂଚନା ମୁତାବକ ଦୁଇ ତାରିଖ ଜମାଣ ବିଳମ୍ବିତ ରାତିରେ ହନୁମନ୍ତପାଟଣା ଗ୍ରାମରେ ଠାକୁର ଭୋଗ ଖାଇବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ସାହି ମୁରବି ହସ୍ତକ୍ଷେପ କରିବା ପରେ ଗଣ୍ଡଗୋଳର ସମାଧାନ ହୋଇଥିଲା । ହେଲେ ଗତକାଲି ସକାଳେ ପୁଣି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଥିଲା ।

ଠେଙ୍ଗାବାଡ଼ି ଓ ଶାବଳ ଓ ଲୁହାଛଡ଼ରେ ପରସ୍ପରକୁ ଆକ୍ରମଣ କରିବାରୁ ଗୋଟିଏ ପକ୍ଷର ଏକାଧିକ ଯୁବକ ଗୁରୁତର ଆହତ ହୋଇ ବାଳକାଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗଣ୍ଡଗୋଳ ସଂପର୍କରେ ଉଭୟ ପକ୍ଷର ମୋଟ ୨୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ହେଲେ ପୁଲିସ ଗୋଟିଏ ପକ୍ଷର ୧୧ ଜଣଙ୍କୁ ଗିରଫ କରି ଜେଲ ପଠାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଏଯାଏ ଗିରଫ କରାଯାଇପାରି ନାହିଁ । ଏନେଇ ଉଭୟ ଗ୍ରାମରେ ଏବେ ବି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ତେଣୁ ଗଣ୍ଡଗୋଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ  ଘଟଣା ଉପରେ ସତର୍କତାର ସହ ନଜର ରଖିଛି ।

ଗୋଟିଏ ପକ୍ଷର ଲକ୍ଷ୍ମୀପ୍ରିୟା ବେହେରା ଲିଖିତ ଅଭିଯୋଗ କରିଥିବା ବେଳେ ଆର ପକ୍ଷର ବ୍ରଜକିଶୋର ବାରିକ ମଧ୍ୟ ଅନୁରୂପ ଭାବେ  ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବିମାନ ଗ୍ରାମ ପରିକ୍ରମା କରିବା ସମୟରେ କାର୍ତ୍ତିକଙ୍କ ଘରେ ଭୋଗ ଖାଇନଥିଲେ । ଆଉ ଏହାକୁ କେନ୍ଦ୍ର କରି ଗ୍ରାମରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା ।

ସମ୍ବନ୍ଧିତ ଖବର