ଲଗାଣ ବର୍ଷା ଫଳରେ ଚିନ୍ତାରେ ଚାଷୀ, ମୟୁରଭଞ୍ଜରେ ୧୧୪୬ ହେକ୍ଟର ଚାଷଜମି ପ୍ରଭାବିତ

୧୦୪୩ ହେକ୍ଟର ଧାନ କ୍ଷେତ ପ୍ରଭାବିତ

ବାରିପଦା : ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଚିନ୍ତାରେ ପଡିଛନ୍ତି ମୟୂରଭଞ୍ଜର ଚାଷୀକୁଳ। ଆଜି ସୁଦ୍ଧା ହୋଇଥିବା ପ୍ରାଥମିକ କ୍ଷୟକ୍ଷତି ଆକଳନ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୧୧୪୬ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଏଥିମଧ୍ୟରୁ ୧୦୪୩ ହେକ୍ଟର ଧାନ କ୍ଷେତ ଥିବା ବେଳେ, ୧୦ ହେକ୍ଟର ମକା ଏବଂ ବାକି ପନିପରିବା ଭଳି ଅଣଧାନ ଫସଲ ରହିଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ ପ୍ରକାଶ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ବେତନଟୀ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏହି ବ୍ଳକର ୪ ପଞ୍ଚାୟତର ୨୧ ଗ୍ରାମର ଧାନ ଓ ଅଣଧାନ କ୍ଷେତକୁ ମିଶାଇ ମୋଟ ୫୨୦ ହେକ୍ଟର ଏବେ ମଧ୍ୟ ପାଣିରେ ବୁଡି ରହିଛି। ସେହିପରି ବଡ଼ସାହି ବ୍ଳକର ୮ ପଞ୍ଚାୟତର ୩୪ ଗ୍ରାମର ୩୪୨, ଶ୍ୟାମାଖୁଣ୍ଟାର ୬୨, ରାଇରଙ୍ଗପୁରରେ ୨୧୨ ହେକ୍ଟର ଫସଲ ଏବେ ମଧ୍ୟ ପାଣିରେ ବୁଡି ରହିଛି। ଯଶୀପୁରରେ କେବଳ ୧୦ ହେକ୍ଟର ମକା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କୃଷି ବିଭାଗ ପକ୍ଷରୁ ପ୍ରକାଶ। ଏହି ବର୍ଷା ଫଳରେ ମକା ଓ ପରିବା ଚାଷୀ ହତାଶ ହୋଇପଡିଛନ୍ତି। ଆଗକୁ ଆହୁରି ଅଧିକ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାର ଚାଷୀକୁଳ ଆଶଙ୍କାରେ ରହିଛନ୍ତି। ଆଗକୁ ଏହି ରିପୋର୍ଟରେ ଆହୁରି ଅଧିକ ଚାଷ ଜମି ଯୋଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଶା କରାଯାଉଛି।
ସମ୍ବନ୍ଧିତ ଖବର