ସରକାରୀ ସୁବିଧାରୁ ବଞ୍ଚିତ ହେବେ ଜିଲ୍ଲାର ୧୧୪୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଆଢ଼ୁଆଳରେ ଭିନ୍ନକ୍ଷମ ପ୍ରମାଣପତ୍ର ମିଳୁନାହିଁ କି ସେମାନଙ୍କ ପ୍ରମାଣପତ୍ରର ନବୀକରଣ ହେଉନାହିଁ । ଫଳରେ ଜିଲ୍ଲାର ୧୧୪୬ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସରକାରୀ ସହାୟତା, ବାଣିଶ୍ରୀ ବୃତ୍ତି ଓ ଅନ୍ୟ ଭତ୍ତା ପାଇବାରୁ ବଂଚିତ ହେବାକୁ ଯାଉଛନ୍ତି । ୨୦୧୯-୨୦ ଜିଲ୍ଲାରେ ୬୩,୯୪୯ଜଣ ଭିନ୍ନକ୍ଷମ ଅଛନ୍ତି । ଏହା ମଧ୍ୟରୁ ୧୭୦୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଟନ୍ତି । ସେମାନଙ୍କ ମଧ୍ୟରୁ ୬୨ଜଣଙ୍କୁ ପ୍ରାକ୍-ମାଟ୍ରିକ୍ ବୃତ୍ତି, ୧୦୨ଜଣଙ୍କୁ ମାଟ୍ରିକ୍ ପରବର୍ତୀ ଶିକ୍ଷା ପାଇଁ ବୃତ୍ତି, ୬ଜଣଙ୍କୁ ଉଚ୍ଚଶିକ୍ଷା ପାଇଁ ବୃତ୍ତି ଓ ୧୫୧୧ଜଣଙ୍କୁ ବାଣିଶ୍ରୀ ଯୋଜନାରେ ବୃତ୍ତି ପ୍ରଦାନ କରାଯାଉଛି । ମୋଟ ୧୭୦୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୭୭ଜଣ ଜିଲ୍ଲାରେ ଥିବା ୧୨ଟି ସ୍ୱତନ୍ତ୍ର ସ୍କୁଲରେ ପାଠ ପଢ଼ୁଛନ୍ତି । ବର୍ତ୍ତମାନ କରୋନା ସଂକ୍ରମଣ ସମୟରେ ଭିନ୍ନକ୍ଷମ ପ୍ରମାଣପତ୍ର ମିଳୁନଥିବା ଅଭିଯୋଗ ହୋଇଥିଲା ।

ଏପରିକି ୯ମ ଓ ୧୦ ଶ୍ରେଣୀ ସ୍କୁଲ ଏବଂ କଲେଜ ଖୋଲିଯିବା ପରେ ଅନେକ ଛାତ୍ରଛାତ୍ରୀ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୌର ପରିଷଦର ପ୍ରମାଣପତ୍ର ପ୍ରଦାନକାରୀ ବିଭାଗ ସହ ଯୋଗାଯୋଗ କରିବାରେ କରୋନା ସଂକ୍ରମଣ ଓ ଡାକ୍ତରଙ୍କ ବୈଠକ ବସିନଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି କହିଥିଲେ । ତେବେ ନୂତନ ଡାକ୍ତର ଯୋଗ ଦେବା ପରେ ୧ ସପ୍ତାହ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ଜୁଲାଇ ମାସରେ କହିଥିଲେ । କିନ୍ତୁ ଏହା ମଧ୍ୟରେ ୨ ମାସ ବିତିଯାଇଛି ଓ ଜିଲ୍ଲାରେ ୧୧୪୬ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ମିଳିନଥିବାରୁ ସରକାରୀ ସୁବିଧାରୁ ବଂଚିତ ହେବା ସ୍ଥିତି ଉପୁଜିଛି ।

ଏହି ୧୧୪୬ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୦୭ଜଣଙ୍କ ପ୍ରମାଣପତ୍ର ନବୀକରଣ ହୋଇନଥିବା ବେଳେ ନୂତନ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ୫୩୯ଜଣ ଛାତ୍ରଛାତ୍ରୀଙ୍କୁ ଏଯାଏଁ ପ୍ରମାଣପତ୍ର ମିଳିନାହିଁ । ଏନେଇ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଗଷ୍ଟ ୨୬ ତାରିଖରେ ଚିଠି ଲେଖି ସ୍ୱତନ୍ତ୍ର ଭାବେ ପ୍ରତି ବ୍ଲକରେ କ୍ୟାମ୍ପ ଆୟୋଜନ କରିବା ସହ ପ୍ରତି ବ୍ଲକରେ ଅନ୍ତତଃ ପକ୍ଷେ ୮ଟି କ୍ୟାମ୍ପ ଆୟୋଜନ କରି ପ୍ରତିବ୍ଲକରୁ ୫୦ରୁ ୧୦୦ଜଣଙ୍କୁ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା । କିନ୍ତୁ ଚିଠି ଦେବାର ଏହା ମଧ୍ୟରେ ୧୦ ଦିନ ବିତିଯାଇଛି, କିନ୍ତୁ ଏନେଇ ଜିଲ୍ଲାସ୍ତରୀୟ ମେଡିକାଲ୍ ବୋର୍ଡ ବସି ଏନେଇ କ୍ୟାମ୍ପ୍ ତାରିଖ ନିର୍ଦ୍ଧାରଣ କରାଯାଇନାହିଁ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ପୃକ୍ତ ବିଭାଗ ସହ ଯୋଗାଯୋଗ କରିବାରେ ପୂର୍ବଭଳି ଏନେଇ ପ୍ରକ୍ରିୟା ଶେଷ ହୋଇଛି ଖୁବଶୀଘ୍ର ଏହା ପ୍ରଦାନ କରାଯିବ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।

ସମ୍ବନ୍ଧିତ ଖବର