ସୁନ୍ଦରଗଡ଼ ଜିଲ୍ଲାର ୧୧୬ ସୋଲାର ଡୁଆଲ ପମ୍ପ୍ ଅଚଳ

ପଶ୍ଚିମ ଓଡ଼ିଶାରେ ୨୮୬ ଅଚଳ: ଉପାନ୍ତ ଅଞ୍ଚଳରେ ପାନୀୟ ଜଳଯୋଗାଣ ପ୍ରହସନ

ରାଉରକେଲା: ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳଯୋଗାଣ ପାଇଁ ଏକାଧିକ ଯୋଜନା କରାଯାଇଛି। ତଥାପି ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରୁ ନଥିଲା। ଏଣୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୌରଶକ୍ତି ପରିଚାଳିତ ଡୁଆଲ ପମ୍ପ୍ ସ୍ଥାପନ କରାଗଲା। ତେବେ ଏହି ଡୁଆଲ ପମ୍ପ୍ ମରାମତି, ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଏହା ଅଚଳ ହୋଇପଡ଼ିଛି।
କେବଳ ବର୍ଷେ କି ଦି’ବର୍ଷ ନୁହେଁ, ୫ ବର୍ଷ ହେଲା ଏହା ଅକାମି ହୋଇପଡ଼ିଛି।

ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାରେ ୨୮୬ଟି ଡୁଆଲ ପମ୍ପ୍ ଅଚଳ ହୋଇପଡ଼ିଛି। ତେବେ ଏଥିମଧ୍ୟରୁ ସର୍ବାଧିକ, ଅର୍ଥାତ୍ ୧୧୬ଟି ସୌରଶକ୍ତି ପରିଚାଳିତ ଡୁଆଲ ପମ୍ପ୍ ସୁନ୍ଦରଗଡ଼ ଜିଲ୍ଲାରେ। ଅଚଳ ଡୁଆଲ ପମ୍ପକୁ ମରାମତି ବି କରାଯାଉ ନଥିବାରୁ ପାନୀୟ ଜଳଯୋଗାଣ ଏବେ ବି ଦିବାସ୍ବପ୍ନ।

ପୂର୍ବରୁ ଟ୍ୟୁବୱେଲରୁ ପାଣି ଆଣିବାରେ ଜନସାଧାରଣଙ୍କୁ ଅଧିକ ଶକ୍ତି ବ୍ୟୟ କରିବାକୁ ପଡ଼ୁଥିଲା। ଏହାସହ ଜଳସ୍ତର ହ୍ରାସ ହେଉଥିବାରୁ ବହୁ ଟ୍ୟୁବୱେଲ ଅଚଳ ହୋଇପଡ଼ୁଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଓ ସୌର ଶକ୍ତି ଦ୍ବାରା ଟ୍ୟୁବୱେଲରେ ମୋଟର୍ ଖଞ୍ଜାଯାଇ ପାଣି ବାହାର କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା। ବହୁମାତ୍ରାରେ ଜନସାଧାରଣଙ୍କ ହିତ ସାଧନ ବି ହେଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହା ଏବେ ବ୍ୟବହାର ଅନୁପଯୋଗୀ।

ଜିଲ୍ଲାର ମୋଟ୍ ୧୧୬ ଅଚଳ ଡୁଆଲ ପମ୍ପ୍ ମଧ୍ୟରୁ ସର୍ବାଧିକ ନୂଆଗାଁ ବ୍ଲକରେ ରହିଛି। ନୂଆଗାଁ ବ୍ଲକରେ ୧୯ଟି ଡୁଆଲ ପମ୍ପ ଦୀର୍ଘବର୍ଷ ହେଲା ଅକାମି ହୋଇ ପଡ଼ିରହିଛି। ଏହାସହ ବାଲିଶଙ୍କରା ବ୍ଲକରେ ୫ଟି ଡୁଆଲ ପମ୍ପ୍ ଅଚଳ ହୋଇ ପଡ଼ିରହିଥିବାବେଳେ ବିଶ୍ରା ବ୍ଲକରେ ୬ଟି, ବଣାଇଁରେ ୪ଟି, ଗୁରୁଣ୍ଡିଆରେ ୧୩ଟି, ହେମଗିରରେ ୩ଟି, କୋଇଡ଼ାରେ ୮ଟି, କୁଆରମୁଣ୍ଡାରେ ୧୧ଟି, କୁତ୍ରାରେ ୨ଟି, ଲହୁଣୀପଡ଼ାରେ ୧୨ଟି, ଲାଠିକଟାରେ ୧୬ଟି, ଲେଫ୍ରିପଡ଼ାରେ ୩ଟି, ରାଜଗାଙ୍ଗପୁରରେ ୩ଟି, ସବଡେଗାରେ ୨ଟି, ସୁନ୍ଦରଗଡ଼ ସଦରରେ ୫ଟି ଓ ଟାଙ୍ଗରପଲ୍ଲୀ ବ୍ଲକରେ ୪ଟି ଅଚଳ ହୋଇପଡ଼ିରହିଛି। କେବଳ ବଡ଼ଗାଁ କେବଳ ବଡ଼ଗାଁ ବ୍ଲକରେ ସମସ୍ତ ଡୁଆଲ ପମ୍ପ କାମ କରୁଛି।

ବିଡ଼ମ୍ବନା ଏହା ଯେ, ଛୋଟଛୋଟ ସମସ୍ୟା ଯୋଗୁଁ  ଡୁଆଲ ପମ୍ପର ଏଭଳି ଅବସ୍ଥା। କେଉଁଠାରେ ପମ୍ପ୍, କଣ୍ଟ୍ରୋଲର, ଏମସିବି, କେବଲ୍, ସୋଲାର ପିଭି ମଡ୍ୟୁଲ, ମଡ୍ୟୁଲ ଷ୍ଟାଣ୍ଡ୍ ହଜିଗଲାଣି। ପୁଣି କେଉଁଠାରେ ସୋଲାର ପ୍ୟାନେଲ ଭାଙ୍ଗିଗଲାଣି ତ କେଉଁଠାରେ ବୋରୱେଲ୍ ଜାମ୍ ହୋଇଛି। ଏତଦବ୍ୟତୀତ ଏକାଧିକ କାରଣ, ଯଥା-ପ୍ୟାନେଲ ଅଚଳ ହେବା, ସୋଲାର ପ୍ୟାନେଲ ଚୋରି ହୋଇଯିବା, ବୋରୱେଲ ଧସିଯିବା, ମଡ୍ୟୁଲ୍ ଅଚଳ ହେବା, ମୋଟର ଖରାପ ହେବା ଆଦି ଅନ୍ୟତମ।

ହାତଗଣତି କେତୋଟି ସ୍ଥାନରେ କେବଳ ପାଣି ସମସ୍ୟା ଦେଖାଦେଇଛି। ଏଠାରେ ଜଳସ୍ତର କମିଥିବାରୁ ଡୁଆଲ ପମ୍ପ୍ ଅଚଳ ହୋଇଛି। ଏଭଳି ଛୋଟ ଛୋଟ ସମସ୍ୟାକୁ ଆରମ୍ଭରୁ ଦୂର କରାଯାଇ ନଥିଲା। ଏହି ଅଚଳାବସ୍ଥା ନେଇ ଗ୍ରାମବାସୀ ମଧ୍ୟ ବିଭାଗୀୟ କର୍ତୃପକ୍ଷ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି; କିନ୍ତୁ ସଠିକ୍ ସମୟରେ ଏହାର ମରାମତି କରା ନଯିବାରୁ ଏହା ଏବେ ଖତ ଖାଉଛି।

ସମ୍ବନ୍ଧିତ ଖବର