ଧଣ୍ଡାମୁଣ୍ଡା: ବାଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ପୁଲିସକୁ ବଡ଼ ସଫଳତା ମିଳିଛି। ଖପ୍ରାଖୋଲ ଅଂଚଳରେ ଦିନକୁ ଦିନ କଫ୍ସିରଫ ମାଫିଆଙ୍କ କଲା ସାମ୍ରାଜ୍ୟ ବଢ଼ି ଚାଲିଥିବା ବେଳେ ପୁଲିସ ମଧ୍ୟ କଲା ସାମ୍ରାଜ୍ୟର ଲମ୍ବା ଚେରକୁ ଉପାଡ଼ିବାରେ ସଫଳ ହେଉଥିବା ଜଣାପଡ଼ିଛି। ପୁଲିସ ୧୧୮ ବୋତଲ କଫ୍ସିରଫ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଲାଠୋର ଥାନା ଅନ୍ତର୍ଗତ ଜାମ ଚୁଅ ଗ୍ରାମର କମଲାକାନ୍ତ ଖମାରି ,ଜଗନ୍ନାଥ ସବର ,ସାହାଜପାନି ଗ୍ରାମର ଧୁବା ମେହେର ଓ ତୁରେକେଲା ଥାନା ଅନ୍ତର୍ଗତ ମହନିଲହ ଗ୍ରାମ ର ଧବଲେସ୍ଵର ସାହୁ। ମୁଖ୍ୟ ଅଭିଯୁକ୍ତ ତଥା କଫସିରଫ କାରବାରର ମାଷ୍ଟର ମାଇଣ୍ଡ ତୁରେକେଲା ଥାନା ଅନ୍ତର୍ଗତ ମାଲିକ ଦର୍ହୋ ଗ୍ରାମର ତ୍ରିନାଥ ରାଣା ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡ଼ିଛି।
ଦୀର୍ଘ ଦିନର ନିରବତା ପରେ ଶୁକ୍ରବାର ସକାଳେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପାଚେର ଗ୍ରାମର ଅନିଲ ନିଆଳଙ୍କ ଠାରୁ ୧୭ ବୋତଲ କଫ୍ସିରଫ ଓ କିଛି ନିଶା ବଟିକା ଜବତ କରାଯାଇଥିଲା। ଅପରାହ୍ନ ୨ଟାରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବଡ ଗୁର୍ଜିଭଟା ନିକଟ ବ୍ରିଜ ଠାରେ କଫସିରଫର ଚୋରା ଚାଳାଣ ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଖପ୍ରାଖୋଲ ପୁଲିସ ଚଢଉ କରି ୧୦୧ବୋତଲ କଫ୍ସିରଫ ସହିତ ନଗଦ ୧୪୦୦ ଟଙ୍କା ଓ ଚାରୋଟି ମୋବାଇଲ ଫୋନ ଓ ଦୁଇଟି ପଲ୍ସର ବାଇକ ଜବତ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଜଣେ ଫେରାର ମାରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସହିତ ଏନେଇ ଆହୁରି ଅଧିକ ତଦନ୍ତ ଜାରି ରହି ଥିବା ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।