ଛତ୍ରପୁର : ମହିଳାଙ୍କୁ ସ୍ବାବଲମ୍ବୀ କରିବା ଓ ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରିବାରେ ଏସ୍‌ଏଚ୍‌ଜି ବୈପ୍ଳବିକ ଭୂମିକା ନେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ‘ମିସନ୍ ଶକ୍ତି’ ଦ୍ବାରା ପରିଚାଳିତ ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କୁ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହାସହ ଏସ୍‌ଏଚ୍‌ଜିଙ୍କ ଉପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ବିକାଶର ମଙ୍ଗ ଧରିଛନ୍ତି ଏସ୍‌ଏଚ୍‌ଜି। ହିଞ୍ଜିଳିକାଟୁ ପୌରପାଳିକା ସମେତ ୧୭ଟି ସହରାଞ୍ଚଳରେ ‘ମିସନ୍ ଶକ୍ତି’ ବିକାଶର ଶକ୍ତି ପାଲଟିଛି।
Advertisment
ଆଜି ସୁଦ୍ଧା ଜିଲ୍ଲାର ଏହି ୧୭ ସହରାଞ୍ଚଳରେ ୧୧୯୫ଟି ଏସ୍‌ଏଚ୍‌ଜିର ୧ ଲକ୍ଷ ୧୦ହଜାର ୯୫୦ ମହିଳା ମିସନ୍ ଶକ୍ତି ମାଧ୍ୟମରେ ଉପକୃତ ହେଉଥିବା ସହ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି। ଆଗକୁ ଅଧିକ ମହିଳା ଗୋଷ୍ଠୀଙ୍କୁ ସକ୍ରିୟ କରି ବିକାଶ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ସହରାଞ୍ଚଳରେ ୧୧୯୫ଟି ମହିଳା ଗୋଷ୍ଠୀଙ୍କ ମଧ୍ୟରୁ ୭୦ଟି ମହିଳା ଗୋଷ୍ଠୀଙ୍କୁ ନେଇ କ୍ଷେତ୍ରସ୍ତରୀୟ ଫେଡ଼େରେସନ୍ ଗଠିତ ହୋଇଛି। ୨୨୭ଟି ଏସ୍‌ଏଚ୍‌ଜିଙ୍କୁ ୨ କୋଟି ୧୮ ଲକ୍ଷ ୯୪ ହଜାର ଟଙ୍କା ବ୍ୟକ୍ତିଗତ ଋଣ ଓ ୭୪ଟି ଏସ୍‌ଏଚ୍‌ଜିଙ୍କୁ ୧ କୋଟି ୩୬ ଲକ୍ଷ ୪୯ ହଜାର ଟଙ୍କା ଗୋଷ୍ଠୀଗତ ଋଣ ଏବଂ ୩୮୦ ଏସ୍‌ଏଚ୍‌ଜିଙ୍କୁ ୬ କୋଟି ୭ ଲକ୍ଷ ୬୯ ହଜାର ଟଙ୍କା ବ୍ୟାଙ୍କ ଲିଙ୍କେଜ୍ ଋଣ ପ୍ରଦାନ କରାଯାଇଛି।
ଛତ୍ରପୁରରେ ୧୮ଟି ଏବଂ ହିଞ୍ଜିଳିକାଟୁରେ ଗୋଟିଏ ମିସନ୍ ଶକ୍ତି ଫୁଡ଼୍‌ କୋର୍ଟ ଖୋଲାଯାଇଛି। ସେହିପରି ଛତ୍ରପୁର ଓ ଦିଗପହଣ୍ତି ଏନ୍ଏସିରେ ଗୋଟିଏ ଲେଖାଏଁ ମିସନ୍ ଶକ୍ତି କାଫେ କାର୍ଯ୍ୟକ୍ଷମ ହୋଇଛି। ୧୭ ସହରର ୧୭ଟି ଆହାର କେନ୍ଦ୍ରରେ ୧୭ଟି ଏସ୍‌ଏଚ୍‌ଜିଙ୍କୁ ନିୟୋଜିତ କରାଯାଇଛି। ଆଗକୁ ରୋଷେଇ ଓ ଖାଦ୍ୟ ପରିବେଷଣ ଦାୟିତ୍ବ ନ୍ୟସ୍ତ କରିବାକୁ ଲକ୍ଷ୍ୟ ରହିଛି। ମା‌ଇକ୍ରୋ କମ୍ପୋଷ୍ଟ୍ ସେଣ୍ଟର୍ (ଏମ୍‌ସିସି) ଓ ମେଟେରିଆଲ୍ ରିକଭରି ଫେସିଲେଟି ସେଣ୍ଟର୍ (ଏମ୍‌ଆରଏଫ୍)ରେ ୧୭ ଏସ୍‌ଏଚ୍‌ଜି ନିୟୋଜିତ ହୋଇଛନ୍ତି।
ଚଳିତ ବର୍ଷ ‘ମୁକ୍ତା’ ଯୋଜନା ଅଧୀନରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟରେ ୩୭୭ଟି ଏସ୍‌ଏଚ୍‌ଜିଙ୍କୁ ନିୟୋଜିତ କରିବାକୁ ଲକ୍ଷ୍ୟ ରହିଛି। ପେଭର୍ ବ୍ଲକ୍ ରାସ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପ କାମରେ ୩୦୬ ଏସ୍‌ଏଚ୍‌ଜି ନିୟୋଜିତ ହେବେ। ଅନ୍ୟପକ୍ଷରେ ମହିଳା ଗୋଷ୍ଠୀଙ୍କ ଦ୍ବାରା ଜିଲ୍ଲାରେ ବୃହତ୍ ଆଚାର ୟୁନିଟ୍ ଖୋଲିବାକୁ ଲକ୍ଷ୍ୟ ରହିଛି। ମଳ ଉପଚାର ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ଦାୟିତ୍ବରେ ୧୭ଟି ଏଚ୍‌ଏଚ୍‌ଜି ନିୟୋଜିତ ହେବେ। ସେହିପରି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ‌ରେ ବି ସେମାନଙ୍କୁ ନିୟୋଜିତ କରାଯିବ। ବର୍ତ୍ତମାନ ଚିତ୍ତବିନୋଦନ କେନ୍ଦ୍ର ଓ ଶିଶୁପାର୍କ ପରିଚାଳନା ଦାୟିତ୍ବରେ ମହିଳା ଗୋଷ୍ଠୀ ରହିଛନ୍ତି। ପରିମଳ ଓ ସ୍ବଚ୍ଛତା ତଦାରଖ ଦାୟିତ୍ବରେ ମହିଳାମାନେ ରହିଛନ୍ତି। ୫୩ଟି ମହିଳା ଗୋଷ୍ଠୀ ଜଳ ଟିକସ ଆଦାୟ କରୁଛନ୍ତି। ଏହାସହ ସହରର ଘରକୁ ଘର ବୁଲି ବ୍ୟାଟେରିଚାଳିତ ଗାଡ଼ି ଦ୍ବାରା ବର୍ଜ୍ୟବସ୍ତୁ ସଂଗ୍ରହ ବି ସେମାନଙ୍କ ଦ୍ବାରା ପରିଚାଳିତ ହେଉଛି। ଏହାବା‌ଦେ ଛେଳିଫାର୍ମ, କୁକୁଡ଼ାଫାର୍ମ, ଦୁଗ୍ଧଶିଳ୍ପ ଓ ଶୁଖୁଆ ବ୍ୟବସାୟ ସମେତ ବିଭିନ୍ନ ଶୁଖିଲା ଖାଦ୍ୟ ପ୍ରସ୍ତୁତିରେ ମହିଳା ଗୋଷ୍ଠୀ ନିୟୋଜିତ ହୋଇଥିବା ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ସୂଚନା ଦେଇଛନ୍ତି।