ପୁରୀରୁ ଉଦ୍ଧାର ହେଲା ୧୨.୫ ଫୁଟର ଅଜଗର

ପୁରୀ: ପୁରୀ ଜିଲ୍ଲାର ବାଳଭଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଡାକେରା ଗାଁର ବାସିନ୍ଦାମାନେ ବୁଧବାର ସକାଳେ ସ୍ଥାନୀୟ ଅଞ୍ଚଳରେ ଏକ ବିଶାଳ ଅଜଗର ଦେଖିବାକୁ ପାଇଥି‌ଲେ। ଏହି ବିଶାଳ ଅଜଗରକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ‌‌ଖେଳି ଯାଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, କିଛି ସ୍ଥାନୀୟ ଲୋକ ପ୍ରଥମେ ଏକ ବୁଦା ପାଖରେ ବିରାଟ ଅଜଗର ଶୋଇ ରହିଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ରହିଥିଲା । ଅଜଗର ଦେଖାଯିବା ଘଟଣା ସମ୍ପର୍କରେ ଗ୍ରାମବାସୀ ସଙ୍ଗେସଙ୍ଗେ ପୁରୀ ସାପ ହେଲ୍ପଲାଇନକୁ ଖବର ଦେଇଥିଲେ।।

ଖବର ପାଇବାର କିଛି ସମୟ ପରେ ସାପ ଧରାଳୀ ସଂଗ୍ରାମ କେଶରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସାପକୁ ଉଦ୍ଧାର କରିଥିଲେ।

ଉଦ୍ଧାର ହୋଇଥିବା ସାପର ଲମ୍ବ ୧୨.୫ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୧୬ କିଲୋଗ୍ରାମ ରହିଥିବା କୁହାଯାଉଛି। ଏହି ଅଜଗରର ବୟସ ପାଖାପାଖି ୧୦ବର୍ଷ ହେବ ବୋଲି ସାପ ଧରାଳୀ କହିଛନ୍ତି। ଉଦ୍ଧାର ପରେ ଉକ୍ତ ଅଜଗର ସାପକୁ ପୁରୀର ଫରେଷ୍ଟ ୟୁନିଟକୁ ହସ୍ତାନ୍ତର କରାଯାଇଥିବା ସୂତ୍ରରୁ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର