ସାଧାରଣ ଲୋକଙ୍କ ଠାରୁ ଲୁଟୁଥିଲେ, ଲୁଟ ଟଙ୍କାରେ ଦ୍ରୁତଗାମୀ ବାଇକ୍‌ କିଣୁଥିଲେ ୧୨ ଜଣିଆ ଡକାୟତ ଗ୍ୟାଙ୍ଗ 

ଗିରଫ ପରେ ବ୍ୟାପକ ମାରଣାସ୍ତ୍ର ଓ ୫୮ ହଜାର ଟଙ୍କା ଜବତ

ଆସିକା: ସାଧାରଣ ଲୋକଙ୍କ ଠାରୁ ଟଙ୍କା ଲୁଟ୍‌ କରି ଏକ ୧୨ ଜଣିଆ ଡକାୟତ ଗ୍ୟାଙ୍ଗ ଦ୍ରୁତଗାମୀ ବାଇକ୍‌ କିଣୁଥିଲେ ବୋଲି ଗୁରୁବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ କହିଛନ୍ତି। ଛତ୍ରପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାୟ କହିଛନ୍ତି, ଡକାୟତ ଗ୍ୟାଙ୍ଗ ଲୁଟ୍‌ ଟଙ୍କାରେ ଜୁଆ ଖେଳୁଥିଲେ ଓ ମଦ ପିଉଥିଲେ। ଏଥି ସହିତ ଲୁଟ୍‌ କାମରେ ସାମିଲ ଥିବା ଡକାୟତମାନେ ଗୋରୁ ବ୍ୟବସାୟୀ ଓ ଫାଇନାନ୍ସ କମ୍ପାନିର କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ। ବ୍ୟାଙ୍କରୁ ଟଙ୍କା ନେଇ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖୁଥିଲେ।

ପୁଲିସ ଗଞ୍ଜାମର ଆସିକା ଓ ବୁଗୁଡ଼ା ଅଞ୍ଚଳରୁ ୧୨ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୪ଟି  ମାଉଜର, ୧୨ ଟି ଗୁଳି, ୧୨ଟି ବୋମା, ଅନ୍ୟାନ୍ୟ ମାରଣାସ୍ତ୍ର, ୫୮ ହଜାର ଟଙ୍କା, ୫ଟି ବାଇକ୍‌ ଓ ୫ଟି ମୁଖା ଜବତ କରିଛି। ଅଭିଯୁକ୍ତମାନେ ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ, ବ୍ରହ୍ମପୁର ପୁଲିସ  ଜିଲ୍ଲା ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଲା ଯେ, ଗ୍ୟାଙ୍ଗ ଏକ ହ୍ଵାଟସ୍‌ଅପ୍‌ ଗ୍ରୁପ ଖୋଲିଥିଲା। ଏହାକୁ ମାଷ୍ଟର ମାଇଣ୍ଡି ତାପସ ରଞ୍ଜନ ସେନାପତି ପରିଚାଳନା କରୁଥିଲା। ଆସ୍କା-ବାଲିପଦର ରୋଡରେ ତାପସ ନିଜ ଟିମର ସଦସ୍ୟମାନ (ସନ୍ତୋଷ ନାହାକ, ସନ୍ତୋଷ ଜେନା, ସଂଜୟ ବେହେରା, ପିଙ୍କୁ ସାହୁ  ବୁଚି ପାତ୍ର)ମାନଙ୍କ ସହ ଡାସନାପଲି ଛକରେ ଥିବା ବିଶ୍ରାମ ଗୃହରେ ଡକାୟତ ପାଇଁ ଯୋଜନା କରୁଥିବା ବେଳେ ଆସ୍କା ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା।

ସେହପିରି ବୁଗୁଡ଼ା ପୁଲିସ ବୁଦ୍ଧଖୋଳ ପହାଡ ନିକଟ ହନୁମାନ ମନ୍ଦିରରେ ଡକାୟତ ପାଇଁ ଯୋଜନା କରୁଥିବା ବେଳେ ଅନ୍ୟ ଏକ ୬ ଜଣିଆ ଲୁଟେରା ଟିମ୍‌କୁ ଗିରଫ କରିଥିଲା। ଗ୍ୟାଙ୍ଗରେ ଶଙ୍କର ଦାସ, ଦିପକ ସେନାପତି, ପ୍ରହଲ୍ଲାଦ ସାହୁ, ଶିବ ସେନାପତି, ଜମିର ଖାନ ଓ ସାଈ ଶଙ୍କର ସାମିଲ ଥିଲେ।

 

ସମ୍ବନ୍ଧିତ ଖବର