ଯୁବକଙ୍କ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେବା ଘଟଣା: ୧୨ ଗିରଫ, ଜଣେ ଫେରାର

ଯୁଯୁମୁରା: ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ପୁଲିସ ୧୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ବର ଭୋଇ (୩୦), ବିମଳେଶ୍ବର ଭୋଇ ଓରଫ ପିଣ୍ଟୁ (୨୫), ରାଜେନ୍ଦ୍ର ପୋଢ଼ ଓରଫ ରାଜୁ (୪୨), ଧନୁ ନାୟକ (୪୦), ମହେନ୍ଦ୍ର ଘୁସି (୫୦), ଅଭିମନ୍ୟୁ ମାକଡ଼ ଓରଫ ମଣ୍ଟୁ (୨୮), ଚିତ୍ତରଂଜନ ପୋଢ଼ (୩୪), ସରୋଜ ଭୋଇ (୩୦), ପ୍ରକାଶ ନାୟକ ଓରଫ ବେଡ଼ା (୨୯), ଦୁର୍ଯୋଧନ ଗୁରୁ ଓରଫ ଢେକଲୁ (୪୫), ଅଶୋକ ଢିଲା (୩୨), ଗୁରୁ ବନଛୋର (୫୨)। ମୃତ ନୀଳାମ୍ବର ବେସନଚୋର (୨୪)ଙ୍କ ସାନ ଭାଇ ବିଶ୍ୱେଶର ବେସନଚୋରଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଯୁଯୁମୁରା ଥାନା ବାନ୍ଦେର ସଂରକ୍ଷିତ ଜଙ୍ଗଲର କବାଟଦୁଆର ଅଞ୍ଚଳରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଧଧୋଲୋମୁଣ୍ଡା ଗ୍ରାମରଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରା ଯାଇଥିଲା। ଜଙ୍ଗଲରେ ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ବେଆଇନ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ ଅପରାଧ ଲୁଚାଇବାକୁ ଯାଇ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ର’ରେ ତାଙ୍କ ଗଳାକାଟି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଶୁକ୍ରବାର ରାତିରେ ସନ୍ଦେହରେ ବ୍ରାହ୍ମଣୀପାଲିର ଏକାଧିକ ଯୁବକଙ୍କୁ ଉଠାଇ ପଚରଉଚରା କରୁଥିଲା। ତେବେ ଏଥିରେ ୧୨ ଜଣ ସଂପୃକ୍ତ ଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଆଉ ଜଣେ ଫେରାର ଥିବା ପୁଲିସ କହିଛି। ଯୁଯୁମୁରା ପୁଲିସ୍‌ ଏହି ଘଟଣାରେ ଧାରା ୩୦୨/୨୦୧/୩୪ ଆଇପିସିରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ଅଭିଯୁକ୍ତଙ୍କଠାରୁ ପୁଲିସ ବିଦ୍ୟୁତ୍‌ ତାର, କିଛି ବାଡ଼ି, ପ୍ଲାଷ୍ଟିକ୍‌ ୱେରିଂ ପାଇପ୍‌ ଆଦି ଜବତ କରିଛି। ପରିବାର ଓ ଗ୍ରାମବାସୀଙ୍କ କହିବାନୁସାରେ, ବୁଧବାର ରାତି ହିଁ ନୀଳାମ୍ବର ଗଉରଗୋଠରୁ ଧଧଲୋମୁଣ୍ଡାକୁ ବିଲ ରାସ୍ତା ଦେଇ ଫେରୁଥିଲେ। ଏହି ସମୟରେ ବ୍ରାହ୍ମଣୀପାଲି ଗ୍ରାମ ନିକଟରେ କୌଣସି ଚାଷଜମିରେ ବନ୍ୟପ୍ରାଣୀ ଶିକାର ପାଇଁ ୧୧ କେଭି ଲାଇନ୍‌ରୁ ହୁକ ପକାଇ ଜିଆଇ ତାର ବିଛା ଯାଇଥିଲା। ଅନ୍ଧାର ରାତିରେ ନୀଳାମ୍ବର ଦେଖି ନପାରି ଜୀବନ୍ତ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଏଥିରେ ତାଙ୍କ ଶରୀରର କିଛି ଅଂଶ ପୋଡ଼ି ଯାଇଥିଲା। ତେବେ ବେଆଇନ୍‌ ତାରବିଛା ସମ୍ପର୍କରେ ସେ ଅନ୍ୟ ମାନଙ୍କୁ ଜଣାଇଦେବା ଭୟରେ ସେଠାରେ ଲୁଚି ରହିଥିବା ଦୁର୍ବୃତ୍ତମାନେ ଘଟଣା ସ୍ଥଳରେ ହିଁ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ପାରିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର