ଯେଉଁ ଗାଁରୁ ଚୋରି ସେହି ଗାଁରେ ବିକ୍ରି; ଧରାପଡ଼ିଲା ଚୋର, ୧୨ ସାଇକେଲ୍ ଜବତ

ହିଞ୍ଜିଳିକାଟୁ : କଥାରେ ଅଛି କାଉ ଅଧିକ ବୁଦ୍ଧିଆ ହେଲେ…। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକରେ। ଜଣେ ଚୋର ଯେଉଁ ଗାଁରୁ ଏକ ସାଇକେଲ୍ ଚୋରି କଲା ତାକୁ ସେହି ଗ୍ରାମରେ ବିକ୍ରି କରିବାକୁ ଯାଇ ଧରାପଡ଼ିଛି। ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ନ୍ୟାୟରେ ତା’ଠାରୁ ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୧୨ଟି ସାଇକେଲ୍ ପୁଲିସ ଜବତ କରିବାରେ ସଫଳ ହୋଇଛି। ସୂଚନା ପ୍ରକାରେ ସ୍ଥାନୀୟ ଖଣ୍ଡରା ଗ୍ରାମର ରାଧାକୃଷ୍ଣ ସାବତଙ୍କ ଝିଅ କମ୍ପ୍ୟୁଟର୍ କ୍ଲାସ୍ ପାଇଁ ପାଟଣାସାହି ସ୍ଥିତ ଏକ ଅନୁଷ୍ଠାନକୁ ଯାଇଥିଲେ। ବାହାରେ ସାଇକେଲ୍ ରଖି କ୍ଲାସ୍ କରୁଥିବା ସମୟରେ ସ୍ଥାନୀୟ ବୁରୁପଡ଼ା ଗ୍ରାମର ମିଟୁ ଦଳାଇ ତାଙ୍କ ସାଇକେଲ ଚୋରି କରିନେଇଥିଲା।

ଘଟଣା ସଂପର୍କରେ ରାଧାକୃଷ୍ଣ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମିଟୁ ଚୋରି କରିଥିବା ଉକ୍ତ ସାଇକେଲ୍‌କୁ ରାଧାକୃଷ୍ଣଙ୍କ ଗ୍ରାମ ଖଣ୍ଡରାକୁ ବିକ୍ରି କରିବାକୁ ଆସିଥିଲା। ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ଉକ୍ତ ସାଇକେଲକୁ ବିକ୍ରି କରିବା ପାଇଁ କହୁଥିବା ବେଳେ ଗ୍ରାମବାସୀ ଉକ୍ତ ସାଇକେଲଟିକୁ ଚିହ୍ନି ପାରି ରାଧାକୃଷ୍ଣଙ୍କୁ ଖବର ଦେଇଥିଲେ। ତେବେ ମିଟୁ ଚତୁରତାର ସହ ସେଠାରୁ ଖସିଆସିଥିଲା। ପରେ ହିଞ୍ଜିଳି ଥାନାଧିକାରୀ ଅଭିମନ୍ୟୁ ଦାସଙ୍କୁ ସମସ୍ତେ ସୂଚନା ଦେଇଥିଲେ। କେସ୍ ନମ୍ବର ୬୧୨ ଅନୁସାରେ ମାମଲା ରୁଜୁ କରିବା ସହ ମିଟୁକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଏହାସହ ସ୍ଥାନୀୟ ଅଞ୍ଚଳରୁ ଚୋରି ଯାଇଥିବା ଅନ୍ୟ ୧୨ଟି ସାଇକେଲ ତା’ଠାରୁ ଜବତ ହୋଇଛି।

ସମ୍ବନ୍ଧିତ ଖବର