ଝାରସୁଗୁଡ଼ା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଆଇନ ଭାବରେ କଫ ସିରପ (ୱିନସିରେକ୍ସ) ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୧୨ ଶହ ବୋତଲ କଫ ସିରପ, କଫ ସିରପ ଚଲାଣ ହେଉଥିବା ବୋଲେରୋ (ଓଆର-୨୩ଡି-୮୫୯୮) ଓ ୩ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଝାରସୁଗୁଡ଼ାର ଏସ କେ ଅମଜାଦ (୩୭), ଅଙ୍କୁଶ ଭଗତ(୨୮), ଏମ୍‌ ଡି ଗୁଲାମ ଅସରଫ (୨୯), ଭାରତ ସିଂ ୟାଦବ(୪୨), ସମ୍ବଲପୁରର ଅମିତ ସାହୁ (୨୯) ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୫ଟାରେ ଝାରସୁଗୁଡ଼ା ପୁଲିସ ପକ୍ଷରୁ ଏସଆଇ ଏସ୍‌ଏସ୍‌ ଲୁଗୁନ ଓ ପୁଲିସ ଦଳ ବେହାରାମାଲରେ କୋଭିଡ୍‌ ଏନଫୋର୍ସମେଣ୍ଟ୍‌ ଡ୍ୟୁଟିରେ ଥିବାବେଳେ ଏକ ବୋଲେରୋରେ ୭ ଜଣ ସମ୍ବଲପୁର ପଟକୁ ଯାଉଥିଲେ। ପୁଲିସ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ୧୦ଟି ବଡ଼ ବଡ଼ ପ୍ୟାକେଟ୍‌ ମିଲିଥିଲା। ପ୍ୟାକେଟ୍‌ଟି ପୁଲିସ ହାତରେ ପଡିବା ପରେ ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ୫ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା। ପ୍ରତି ପ୍ୟାକେଟ୍‌ରେ ୧୨୦ ବୋତଲ ଲେଖାଏଁ ୧୨ ଶହ ବୋତଲ କଫ ସିରପ ବୋତଲ ମିଳଥିଲା। ସିରପଗୁଡିକ ବ୍ୟାନ୍‌ ହୋଇ ସାରିଥିବାବେଳେ ଏହା ବେଆଇନ ଭାବରେ ନିଶା କାରବାର ପାଇଁ ସୁନ୍ଦରଗଡରୁ ସମ୍ବଲପୁରକୁ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଫଳରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାସହ ସେମାନଙ୍କ ବିରୋଧରେ ଧାରା ୨୧ ବି ଏବଂ ୨୯ ଏନ୍‌ଡିପିଏସ ଆକ୍ଟରେ କେସ୍‌ ନମ୍ବର ୧୫୩ ରୁଜୁ କରି କୋର୍ଟ ଚାଲାଣ କରିଛି ।

publive-image

ଏହାସହ ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ବିଷୟରେ ପୁଲିସ ତଥ୍ୟ ସଂଗହ କରିସାରିଛି। ଶୀଘ୍ର ଏହି କଫ ସିରପ ଚାଲାଣ ଗ୍ୟାଙ୍ଗର ସମସ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏବେ ପର୍ବାଣ ସମୟ ଚାଲିଥିବାରୁ ନିଶା କାରବାର ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଜିଲ୍ଲା ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯିବା ସହ ବେଆଇନ ନିଶା ଦ୍ରବ୍ୟ ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ ଶ୍ରୀ ଦାସ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ଝାରସୁଗୁଡା ତଥା ସମ୍ବଲପୁର ଥାନାରେ ଏକାଧିକ ମାମଲା ରହିଛି।