ନୂଆପଡ଼ାରୁ ପୁଣି ୧୨ ଜଣ ଯୁବକ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ ସଂଖ୍ୟା ହେଲା ୨୬

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଜି ପୁଣି ୧୨ ଜଣ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ନିକଟରେ ମୁମ୍ବାଇରେ ଫେରିଥିଲେ । ସେହିପରି ଅନ୍ୟ ଜଣେ ବ୍ୟକ୍ତି ହାଇଦ୍ରାବାଦରୁ ଫେରି କ୍ୱାରେଣ୍ଟଇନ ସେଣ୍ଟରରେ ଥିଲେ । ଏମାନେ ସମସ୍ତେ ପୁରୁଷ ଓ ସେମାନଙ୍କର ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହେବ । ସେ କହିଛନ୍ତି, ନୂଆ ଚିହ୍ନଟ ୪ ଜଣ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଥିବା ବେଳେ ଅନ୍ୟ ୮ ଜଣ ବ୍ୟକ୍ତିଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ ।

ଜିଲ୍ଲାପାଳ ଶ୍ରୀମତୀ ସାହୁ କହିଛନ୍ତି, ସିନାପାଲି ବ୍ଲକର ନିର୍ଜି ଟିଏମସିରୁ ଜଣେ, ଗଣ୍ଡାବେହେଲି ଟିଏମସିରୁ ଜଣେ, ଉଚ୍ଚାଗୁଡ଼ା ଟିଏମସିରୁ ଜଣେ, ବୋଡେନ ବ୍ଲକର ଯୁକ୍ତ ତିନି କଲେଜ ଟିଏମସିରୁ ଜଣେ, ବୋର୍ଡେନ ହାଇସ୍କୁଲର ଟିଏମସିରୁ ୨ ଜଣ, ଖଡ଼ିଆଲ ବ୍ଲକର ଦୋହେଲପଡ଼ା ଟିଏମସିରୁ ୪ ଜଣ, ନୂଆପଡ଼ା ସରକାରୀ ବିଜ୍ଞାନ କଲେଜର ଟିଏମସିରୁ ଜଣେ ଓ ନୂଆପଡ଼ାସ୍ଥିତ ଅନ୍ୱେଷା ହଷ୍ଟେଲ ଟିଏମସିରୁ ଜଣେ କରୋନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହିସବୁ ସ୍ଥାନଗୁଡ଼ିକୁ ସିଲ କରାଯାଇଛି ।

ସୂଚନାଯୋଗ୍ୟ, ନୂଆପଡ଼ାରେ ଏପର୍ଯ୍ୟନ୍ତ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଜିଲ୍ଲାକୁ ବାହାର ରାଜ୍ୟରୁ ପ୍ରବାସୀମାନଙ୍କର ଆଗମନ ଜାରି ରହିଥିବାରୁ ଆଗାମୀ ଦିନରେ ଆହୁରି କରୋନା ପଜିଟିଭ ଚିହ୍ନଟ ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର