ବାରିପଦା: ମୟୂରଭଞ୍ଜରେ ଅନୁଭୁତ ହୋଇଛି ପହିଲି ଶୀତର ପୁଲକ। ତେବେ ଶୀତ ଆସୁ ଆସୁ ଉଷ୍ମ ହୋଇଛି ଜିଲ୍ଲା ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଉଭୟ ବିଜେଡି ଓ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଛି। ସ୍ବାସ୍ଥ୍ୟକାର୍ଡ ମୟୂରଭଞ୍ଜରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି ବିଜେଡି ଦାବି କରୁଛି। ଅପରପକ୍ଷରେ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଥିବାବେଳେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ହାସ୍ୟାସ୍ପଦ ବୋଲି ଅଭିଯୋଗ କରିଛି ବିଜେପି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣାକୁ ପ୍ରସଙ୍ଗ କରି ବିଜେଡିକୁ ଅକଳରେ ପକେଇବାକୁ ଚେଷ୍ଟା କରିଛି ବିଜେପି। ଏହି ଘଟଣା ସହିତ ଆହୁରି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ବିଜେପି। ଏହି ବନ୍ଦକୁ ବେଶ୍ ଗୁରୁତର ସହିତ ନେଇଛି ବିଜେପି। ବେଶ୍ କିଛି ଦିନ ପରେ ବିଜେଡିକୁ ଅଡ଼ୁଆରେ ପକାଇବା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ସବୁବର୍ଗର ନେତା ଏକାଠି ହୋଇଥିବା ଦେଖିବାକୁ ମିଳିଛି। ତେବେ ବିଜେଡି ମଧ୍ୟ ଏହି ବନ୍ଦକୁ କଡ଼ା ଭାଷାରେ ନିନ୍ଦା କରିଛି। ବିଜେପିର ଏହି ବନ୍ଦ ବିକାଶ ବିରୋଧୀ ଏବଂ କେବଳ ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି ଦାବି କରିଛି।
ଏନେଇ ଉଭୟ ଦଳ ପକ୍ଷରୁ ରାଜନୈତିକ ବୟାନବାଜି ଜିଲ୍ଲାର ରାନୀତିକୁ ସରଗରମ କରିଛି। ବିଜେଡିର ଶୀର୍ଷ ନେତୃତ୍ବ ବିଜେପିର ମୟୂରଭଞ୍ଜ ବନ୍ଦକୁ ଜନବିରୋଧୀ ପ୍ରମାଣିତ କରିବାକୁ ସତର୍କତାର ସହିତ ଗୋଟି ଚାଳନା କରିଛି। ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ବନ୍ଦକୁ ନିନ୍ଦା କରିବା ସହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛି। ବିଜେପି ପକ୍ଷରୁ ଦିଆଯାଇଥିବା ଜିଲ୍ଲା ବନ୍ଦକୁ ଜନବିରୋଧୀ ବୋଲି କହି ନିନ୍ଦା କରିବା ସହିତ ଏହା କେବଳ ବିଜେପିର ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ ବୋଲି କହିଛି ବିଜେଡି। ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ବେଶ୍ ଲୋକପ୍ରିୟତା ହାସଲ କରୁଛି। ତେଣୁ ଏହାକୁ ସହ୍ୟ କରିନପାରି ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି ଅଭିଯୋଗ କରିଛି ଦଳ। ସେହିପରି ପେଟ୍ରୋଲ୍ ଦର ବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି, ରେଳବାଇ କ୍ଷେତ୍ରରେ ମୟୂରଭଞ୍ଜ ପ୍ରତି କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ଭଳି ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ବିଜେଡି। ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣାକୁ ଖଣ୍ଡନ କରିଛି ବିଜେଡି। ଓଲଟି ବିଜେପି ମୟୂରଭଞ୍ଜ ବାହାର ଲୋକଙ୍କୁ ବାରିପଦା ଡାକି ବିଶୃଙ୍ଖଳା ସୃଷ୍ଟି କରିଥିବା ଆରୋପ ଲଗାଇଛି ଦଳ।
ସେହିଭଳି ନିକଟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବରଙ୍କ ଆଚରଣ, ଟିକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଫିଙ୍ଗା ଫୋପଡ଼ାକୁ କଡ଼ା ସମାଲୋଚନା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ତାଙ୍କ ବାରିପଦା ଗସ୍ତ ଅବସରରେ ପ୍ରାୟ ୨୪ଶହ କୋଟି ଟଙ୍କାରୁ ଊର୍ଧ୍ବ ପ୍ରକଳ୍ପ ଜିଲ୍ଲାପାଇଁ ଉତ୍ସର୍ଗ କରିଛନ୍ତି। ମାତ୍ର କେନ୍ଦ୍ର ସରକାର କେବଳ କଥା କୁହା ସରକାର ଭାବେ କାମ କରୁଛି। ୭ ବର୍ଷ ମଧ୍ୟରେ ମୟୂରଭଞ୍ଜ ପ୍ରତି କେନ୍ଦ୍ର ସରକାରଙ୍କ କଣ ଅବଦାନ ବୋଲି ଜବାବ୍ ମାଗିଛି ବିଜେଡି। ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ଚାରିଆଡ଼ୁ ପ୍ରଶଂସା ମିଳୁଥିବା ଦାବି କରିଛି ବିଜେଡି। ଅକ୍ସିଜେନ୍ ସିଲିଣ୍ଡର୍ ଯୋଗାଣ ହେଉ ଅବା ସ୍ମାର୍ଟ ହେଲଥ କାର୍ଡ, ସବୁ କ୍ଷେତ୍ରରେ ରାଜ୍ୟ ସରକାର ଆଗରେ ଥିବା କହିଛି ଦଳ। ବିଜେପିର ବନ୍ଦ ଡାକରାକୁ ମୟୂରଭଞ୍ଜବାସୀ ଆଦୌ ସମର୍ଥନ କରିବେ ନାହିଁ ବୋଲି ବିଜେଡି ଦାବି କରିଛି।
ଆଜି ସନ୍ଧ୍ୟାରେ ବାରିପଦାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜସ୍ବ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ସହପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ନେତା ଜନ୍ମେଞ୍ଜୟ ଲେଙ୍କା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ତଥା ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ରାଜ୍ୟ ପ୍ରବକ୍ତା ଅନୁଭବ ପଟ୍ଟନାୟକ, ପ୍ରିୟବ୍ରତ ମାଝୀ, ପୂର୍ବତନ ନଗରପାଳ ତଥା ବାରିପଦା ଟାଉନ ବିଜେଡି ସଭାପତି କୃଷ୍ଣାନନ୍ଦ ମହାନ୍ତି, ପ୍ରଭାତ କୁମାର ନାୟକ, ଜିଲ୍ଲା ବିଜେଡି ସଭାପତି ଅରୁଣ ବରାଡ଼, ଛାତ୍ର ସଭାପତି ସୁନୀଲ କୁମାର ନାୟକ, ରାଜୀବ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।