ରାୟଗଡ଼ା: ଦିନ ତମାମ ରେଳପଥରେ ଚାଲୁଥିଲୁ, ରାତିରେ ଜଙ୍ଗଲରେ ଶୋଉଥିଲୁ। ପୁଲିସ୍ ଓ କ୍ବାରାଣ୍ଟାଇନ୍ ଭୟରେ ରାଜରାସ୍ତାକୁ ଯାଉନଥିଲୁ। ରେଳପଥ ହିଁ ଘରକୁ ଫେରିବାର ଏକ ମାତ୍ର ରାସ୍ତା ଥିବାରୁ ୧୪ ଦିନ ହେଲା ବିଜୟୱାଡାରୁ ଝାଡଖଣ୍ଡ ଅଭିମୁଖେ ରେଳପଥରେ ହିଁ ଚାଲୁଛୁ। ୫୩୬ କିମି ରେଳପଥ ଅତିକ୍ରମ କରିବା ପରେ ୧୨ ଶ୍ରମିକଙ୍କୁ ଆଜି ଉଦ୍ଧାର କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କ୍ବାରାଣ୍ଟାଇନରେ ରଖାଯାଇଛି।
ଝାଡ଼ଖଣ୍ଡ ରାଜ୍ୟ କାଣ୍ଟି ଥାନା ଅଞ୍ଚଳର ୧୨ ଶ୍ରମିକ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ବିଜୟୱାଡା ଯାଇଥିଲେ। ବିଜୟୱାଡାର ୟୁଆରସି ନାମକ ଘରୋଇ କଂପାନିରେ ଏହି ଶ୍ରମିକମାନେ ଘର ତିଆରି କାମରେ ନିୟୋଜିତ ହୋଇଥିଲେ। ୧ ସପ୍ତାହ କାମ କରିବା ପରେ ଲକଡାଉନ୍ ଲାଗୁ ହେବା ପରେ କଂପାନି କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଘରକୁ ଚାଲି ଯିବାକୁ କହିଥିଲେ। କିନ୍ତୁ ରେଳ ଚଳାଚଳ ବନ୍ଦ ଯୋଗୁ ଶ୍ରମିକମାନେ ଘରକୁ ଫେରି ପାରିନଥିଲେ। କଂପାନି ଶ୍ରମିକଙ୍କ ରହିବା କ୍ୟାମ୍ପକୁ ଖାଲି କରି ତାଲା ପକାଇ ଦେଇଥିଲେ। ସପ୍ତାହକର ମଜୁରି ମାଗିବା ପରେ କଂପାନି ସୁପରଭାଇଜର ଶ୍ରମିକମାନଙ୍କୁ ଆଉ ଧରାଛୁଆଁ ଦେଇନଥିଲେ। ୨/୩ ଦିନ ଭୋକ ଉପାସରେ କାଟିବା ପରେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ଶ୍ରମିକମାନେ।
/sambad/media/post_attachments/wp-content/uploads/2020/04/Raya.jpg)
ରାସ୍ତାକୁ ଆସିଲେ ପୁଲିସ୍ ମାଡ଼ ମାରୁଥିବାରୁ ରେଳପଥରେ ହିଁ ଘରକୁ ଫେରିବା ପାଇଁ ନିଷ୍ପତ୍ତି କରିଥିଲେ ଶ୍ରମିକମାନେ। ଦିନ ତମାମ ଚାଲିବା ପରେ ସଂଧ୍ୟା ହେଲେ ଜଙ୍ଗଲ ଅଞ୍ଚଳ ଦେଖି ଶ୍ରମିକମାନେ ଶୋଉଥିବା ପ୍ରମୋଦ କୁମାର ରାମ କହିଛନ୍ତି। ପରିବାର ଲୋକ ବ୍ୟାକୁଳ ହେଉଥିବାରୁ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ପାଇଁ ରେଳପଥ ଦେଇ ହିଁ ଚାଲୁଥିଲେ। ୧୪ ଦିନ ପରେ ଶ୍ରମିକମାନେ ଆଜି ସଂଧ୍ୟାରେ ରାୟଗଡ଼ାରେ ପହଞ୍ଚିଥିଲେ। କୌଣସି ସୂତ୍ରରୁ ପ୍ରଶାସନ ଖବର ପାଇବା ପରେ ରାପିଡ୍ ରେସପନସ୍ ଟିମ୍ ପିତାମହଲ ନିକଟରେ ଶ୍ରମିକଙ୍କୁ ଅଟକାଇଥିଲେ। ଅଟୋ ମାଧ୍ୟମରେ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତ ଶ୍ରମିକଙ୍କୁ କ୍ବାରାଣ୍ଟାଇନରେ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ଶ୍ରମିକଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/raya1.jpg)