ରାୟଗଡ଼ା: କାମଧନ୍ଧା ଆଶାରେ ଉତ୍ତରପ୍ରଦେଶରୁ ଯାଇଥିଲେ କେରଳ। ଆଶା ଥିଲା ରୋଜଗାର କରି ମୁଠାଏ ଭଲ ଖାଇବା ସହ ଦି ପଇସା ଘରକୁ ପଇସା ପଠାଇବେ। ହେଲେ କରୋନା ବିପତ୍ତି ଶ୍ରମିକଙ୍କ ସମସ୍ତ ଆଶାକୁ ଧୂଳିସାତ କରି ଦେଇଛି। ଲକଡାଉନ୍ ଯୋଗୁ କାମଧନ୍ଧା ବନ୍ଦ ଥିବାରୁ ୫ ମାସ ବହୁ କଷ୍ଟରେ ଚଳିବା ପରେ ଏବେ ଭିଟାମାଟିମୁହାଁ ହୋଇଛି ଶ୍ରମିକ। ତାହା ପୁଣି ଚାଲି ଚାଲି। ସୁଦୂର କେରଳରୁ ଉତ୍ତରପ୍ରଦେଶ ଯାଉଥିବା ଶ୍ରମିକ କେବେ ଘରେ ପହଞ୍ଚିବେ ତାକୁ ନେଇ ମଧ୍ୟ ସନ୍ଦିହାନ୍।
ଉତ୍ତରପ୍ରଦେଶର ୧୨ ଶ୍ରମିକ ଦିନ ମଜୁରିଆ ଭାବେ କାମ କରିବା ପାଇଁ କେରଳ ଯାଇଥିଲେ। ଏକ ନିର୍ମାଣଧୀନ ଠିକା କଂପାନି ଏହି ଶ୍ରମିକଙ୍କୁ ଟ୍ରେନ୍ ଯୋଗେ ନେବା ପରେ କାମରେ ନିୟୋଜିତ କରିଥିଲା। ହେଲେ କାମ କରିବାର ମାସକ ପରେ କରୋନା କାରଣରୁ କାମ ବନ୍ଦ ହୋଇଗଲା। ଠିକା କ୍ୟାମ୍ପରେ ଶ୍ରମିକମାନେ କାମ ଚାଲିବା ଆଶାରେ ପଡ଼ି ରହିଥିଲେ। ଠିକା କଂପାନି କିଛି ଦିନ ଖାଦ୍ୟ ସାମଗ୍ରୀ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଦେଇନଥିଲା। ଫଳରେ ଶ୍ରମିକମାନେ ସରକାରୀ ସହାୟତା ବାବଦକୁ ମିଳିଥିବା ଶୁଖିଲା ଖାଦ୍ୟ, ଚାଉଳ, ଡାଲିରେ ବହୁ କଷ୍ଟରେ ଦିନ ବିତାଇଥିଲେ।
ଲକଡାଉନର ୫ ମାସ ପରେ ମଧ୍ୟ କରୋନା ପରିସ୍ଥିତିରେ ସୁଧାର ଆସୁନଥିବାରୁ ଶେଷରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରମିକମାନେ। ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ଚାଲି ଚାଲି ହିଁ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରମିକମାନେ। କେରଳରୁ ଚାଲି ଚାଲି ଆସି ଆଜି ରାୟଗଡ଼ାରେ ପହଞ୍ଚିଥିଲେ। ମଧ୍ୟାହଣରେ ରାୟଗଡ଼ାରେ ପହଞ୍ଚିବା ପରେ ୩/୪ ଘଣ୍ଟା ବିଶ୍ରାମ ନେଇ ପୁଣି ଘର ମୁହାଁ ହୋଇଛନ୍ତି। ଦୀର୍ଘ ଦିନ ଧରି ଚାଲୁଥିବା ଶ୍ରମିକମାନେ ସଂପୂର୍ଣ୍ଣ ଭାବେ ଥକି ପଡ଼ିଛନ୍ତି। ରାୟଗଡ଼ାରୁ ଉତ୍ତରପ୍ରଦେଶର ଦୂରତା ୧୨୦୦ କିମିରୁ ଉର୍ଧ୍ବ ହୋଇଥିବା ବେଳେ ମନୋବଳ ନ ଭାଙ୍ଗି ଚାଲି ଚାଲି ଘରେ ପହଞ୍ଚିବାକୁ ଶ୍ରମିକମାନେ ନିଷ୍ପତ୍ତି ନେଇଛନ୍ତି।
ରାସ୍ତାରେ କିଛି ସ୍ବେଚ୍ଛାସେବୀ ଓ ଜନସାଧାରଣଙ୍କ ସାହାର୍ଯ୍ୟ ଯୋଗୁ ହିଁ ଏମାନେ ରାୟଗଡ଼ା ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି। ମୋବାଇଲ ଚାର୍ଜ କରିବାର ମଧ୍ୟ କୌଣସି ସୁବିଧା ନଥିବାରୁ ପ୍ରତିଦିନ ଘର ଲୋକଙ୍କ ସହ ମଧ୍ୟ କଥା ହୋଇପାରୁନାହାନ୍ତି। ଶ୍ରମିକମାନଙ୍କୁ ଘର ବାହୁଡ଼ା କରିବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ଶ୍ରମିକ ସ୍ପେଶାଲ୍ ଟ୍ରେନରେ ଫେରିବା ପାଇଁ ଏହି ଶ୍ରମିକମାନେ ବହୁ ଚେଷ୍ଟା କରି ନିରାଶ ହୋଇଥିବା କହିଛନ୍ତି।
କରୋନା ମୁକାବିଲା ପାଇଁ ସାରା ଭାରତରେ ଲକଡାଉନ୍ ଚାଲିଛି। ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଲକଡାଉନ୍ ଯୋଗୁ ଟ୍ରେନ୍, ବସ୍ ଚଳାଚଳ ବନ୍ଦ ରହିଛି। କିଛି ସ୍ବତନ୍ତ୍ର ଟ୍ରେନକୁ ଛାଡ଼ିଲେ ସମସ୍ତ ଟ୍ରେନ୍ ବନ୍ଦ ଥିବାରୁ ବହୁ ଶ୍ରମିକ ଏବେ ବି ବିଭିନ୍ନ ସ୍ଥାନରେ ଫଶି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/RGD_Labour.jpg)