ରାୟଗଡ଼ାରେ ଆଉ ୧୨ ଡେଙ୍ଗୁ ପଜିଟିଭ୍: ୬୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା, ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ରାୟଗଡ଼ା: ରାୟଗଡ଼ାରେ ଆଉ ୧୨ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟିକରପଡ଼ାର ୯ ଜଣ, ବିଷମକଟକର ୨ ଜଣ, ରାୟଗଡ଼ା ବ୍ଲକରେ ଜଣେ ନୂଆ ରୋଗୀଙ୍କ ନିକଟରେ ଡେଙ୍ଗୁ ଭୂତାଣୁ ଥିବା ସ୍ୱାସ୍ଥ୍ୟ ବିଭାଗ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ସତ୍ତ୍ବେ ମୁନିଗୁଡ଼ା ବ୍ଲକର ଟିକରପଡ଼ାରେ ଡେଙ୍ଗୁ ଥମିବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ।

ରାୟଗଡ଼ା ଜିଲ୍ଲାରେ କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। ଟିକରପଡ଼ା ଗାଁ ଡେଙ୍ଗୁ ହଟ୍ ସ୍ପଷ୍ଟ ଭାବେ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲିବା ସହ ନିୟମିତ ଲୋକଙ୍କ ଚିକିତ୍ସା ଜାରି ରଖିଛି। ପ୍ରଥମ ପର୍ଯ୍ୟାୟରେ ଏହି ଗାଁରୁ ସଂଗ୍ରହ ହୋଇଥିବା ୮୭ ରକ୍ତ ନମୁନାରୁ ୪୨ ଜଣଙ୍କ ନିକଟରେ ଡେଙ୍ଗୁ ଚିହ୍ନଟ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାରୁ ସଂଗ୍ରହ ହୋଇଥିବା ୪୫ ରକ୍ତ ନମୁନାରୁ ୧୨ ଜଣଙ୍କ ରକ୍ତ ନମୁନା ପଜିଟିଭ୍ ଆସିଛି।

ପ୍ରଥମ ଥର ପାଇଁ ବିଷମକଟକ ବ୍ଲକର ହଜାରୀଡାଙ୍ଗ, ଟାଙ୍ଗଣାପଦର, ରାୟଗଡ଼ା ବ୍ଲକର ମାଲିଗାଁରେ ଜଣେ ଲେଖାଁଏ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣି ଟିକରପଡ଼ାର ୯ ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିଛି। ଅଧିକ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ୧୩ଟି, କଟକ ବଡ଼ ମେଡ଼ିକାଲକୁ ୧୨ଟି ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଗୁରୁତର ଥିବା ଦୁଇ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ସୁଦ୍ଧା ଜିଲ୍ଲାରେ ୬୧ ଡେଙ୍ଗୁରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। କରୋନା ମୁକାବିଲା ଲାଗି ସ୍ବାସ୍ଥ୍ୟ ବିଭାଗ ବ୍ୟସ୍ତ ଥିବା ସମୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହୋଇ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୩୭ ନମୁନାରୁ ୪୯ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା।

ଗତ ୨ ମାସରେ ଜିଲ୍ଲାର ମୁନିଗୁଡ଼ା ବ୍ଲକ୍ ଟିକରପଡ଼ା ଗାଁରେ ୧୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅନେକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ଚେତିଥିଲା। ସେହିପରି ରାୟଗଡ଼ା ପୌର ପରିଷଦରେ ମଧ୍ୟ ୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି। ସହରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ବସ୍ତି ଅଞ୍ଚଳ ପରିଦର୍ଶନ କରି ପରିମଳ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଥିଲେ। ସମସ୍ତ ୱାର୍ଡରେ ନର୍ଦମା ସଫେଇ, ରାସ୍ତାରେ ପଡ଼ିଥିବା ଅଳିଆ ଆବର୍ଜନା ହଟାଇବା, ମଶାବଂଶ ନିପାତ ତେଲ ପକାଇବା ଏବଂ ମଶା ମରା ଧୂଆଁ ମେସିନ୍ ବୁଲାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ସେହିପରି ଡେଙ୍ଗୁ ଆକ୍ରାନ୍ତ ଗ୍ରାମ ଗୁଡ଼ିକରେ ପରିମଳ ବ୍ୟବସ୍ଥାକୁ ସୁଧାରିବା ସହ ଡେଙ୍ଗୁକୁ ନିୟନ୍ତ୍ରଣରେ ରଖିବାକୁ ସ୍ବତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ମୁତୟନ ହୋଇ କାମ କରୁଛନ୍ତି।

ସମ୍ବନ୍ଧିତ ଖବର