ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ୧୨ ବର୍ଷ ଜେଲଦଣ୍ଡ, ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ

ଯାଜପୁର: ୨୦୧୫ ମସିହାର ଏକ ନାଵାଳିକା ଦୁଷ୍କର୍ମ ମାମଲାରେ ଆଜି ଜିଲ୍ଲା ଅତିରିକ୍ତ ଦୈରାଜଜ ଦୋଷୀକୁ ୧୨ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କାର ଜରିମାନା ରାୟ ଶୁଣାଇଛନ୍ତି।

ସୂଚନା ଅନୁସାରେ ବଡଚଣା ଥାନା ଅନ୍ତର୍ଗତ ବୈରୀ ଫାଣ୍ଡି ଅଞ୍ଚଳର ସମରପଲୁ ଗ୍ରାମରେ ୨୦୧୫ ସେପ୍ଟେମ୍ବର ୧୭ ତାରିଖରେ ଜୈନିକା ନାବାଳିକାଙ୍କୁ ଉକ୍ତ ଗ୍ରାମର ଯୁବକ ସଞ୍ଜୟ ବାଂଙ୍କିରା(୨୫) ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଉକ୍ତଦିନ ବିଶ୍ବକର୍ମା ପୂଜା ସହ ଗଣେଶ ପୂଜା ପାଳନ କରାଯାଉଥିଲା। ତେଣୁ ଗାଁରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ପୀଡିତାଙ୍କ ପରିବାର ଲୋକ ସାମିଲ ହୋଇଥିବା ବେଳେ ପୀଡିତା ଘରେ ଏକା ଶୋଇଥିଲେ। ଏହାର ସୁଯୋଗ ନେଇ ସଞ୍ଜୟ ପୀଡିତାଙ୍କୁ ଉଠାଇ ନେଇ ଘର ପଛ ବାଡିରେ ଦୁଷ୍କର୍ମ କରିଥିଲା। ପରଦିନ ସକାଳୁ ନାବାଳିକାର ପରିବାର ଲୋକ ଏନେଇ ଜାଣି ପାରିବା ପରେ ୧୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ କେସ ନମ୍ବର ୧୨୪/୨୦୧୫ ଦଫା ୩୭୬ ଦୁଇ(ଏଫ୍) ଓ ୬ ପକ୍ସୋ ଆଇନରେ ମାମଲା ରୁଜୁ କରି ଅଭୁଯୁକ୍ତଙ୍କୁ ଗିରଫ କରିଥିଲା।

ଏହି ମାମଲା ବିଚାରଧୀନ ଥିବା ବେଳେ ଆଜି ମାନ୍ୟବର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ତଥା ପକ୍ସୋ ଜଜ ଜ୍ଞାନେନ୍ଦ୍ର ବାରିକ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କାର ଜରିମାନା ଅନାଦେୟ ୩ ମାସର ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି। ଏଥି ସହିତ ପୀଡିତାକୁ କ୍ଷତିପୂରଣ ବାବଦକୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ରାଜୀବ ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର