ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା: ଅଢ଼େଇ ମାସରେ ୧୨ଶହ, ୧୮ ଦିନରେ ୧୮୦୦ ସଂକ୍ରମିତ

ଖୋର୍ଦ୍ଧା: ଜିଲ୍ଲାର ଗ୍ରାମାଂଚଳରେ ଅଗଷ୍ଟ ମାସରେ କରୋନା ସଂକ୍ରମଣ ସତର୍କ ଘଂଟି ବଜାଇଛି। ମଇ ମାସରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ ହେବାଠାରୁ ଜୁଲାଇ ୩୧ ତାରିଖ ସୁଦ୍ଧା ଗ୍ରାମାଂଚଳରେ ମୋଟ ସଂକ୍ରମଣ ୧୨ଶହ ଥିବା ବେଳେ ଅଗଷ୍ଟ ୧ ତାରିଖରୁ ୧୮ ତାରିଖ ମଧ୍ୟରେ ମୋଟ ସଂକ୍ରମଣ ୧୮୦୦ ଟପିଛି। ସେହିଭଳି ଏହି ୧୮ ଦିନ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି।

୧୮ ତାରିଖ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ମୋଟ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୮୦୦୦। ଏହା ମଧ୍ୟରୁ ଖୋର୍ଦ୍ଧା ଗ୍ରାମାଂଚଳରେ ୩ହଜାର ସଂକ୍ରମିତ ଅଛନ୍ତି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଗତକାଲି ସକାଳ ସୁଦ୍ଧା ଜିଲ୍ଲାରେ ଆଉ ୧୩୧ ନୂଆ ସଂକ୍ରମିତ ଯୋଡ଼ି ହୋଇଛନ୍ତି। ଏଥିରେ ଆରଟିପିସିଆର୍‌ ପରୀକ୍ଷଣରେ ୩୭, ରାପିଡ୍‌ ଆଂଟିଜେନ୍‌ ପରୀକ୍ଷଣରେ ୯୩ ଓ ଟ୍ରୁ-ନାର୍ଟରେ ଜଣେ ଲୋକଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡ଼ିଛି। ଗତକାଲି ସକାଳ ସୁଦ୍ଧା ଠାବ ହୋଇଥିବା ମୋଟ ୧୩୧ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷଣରୁ ୧୯, ଖୋର୍ଦ୍ଧା ବ୍ଲକରୁ ୮, ବାଲୁଗାଁରୁ ୨୧, ବାଣପୁରରୁ ୧୨, ବେଗୁନିଆରୁ ୧୫, ବାଳକାଟିରୁ ୧୩, ବାଲିପାଟଣାରୁ ୧୦, ମେଣ୍ଢାଶାଳରୁ ୭, ଜଟଣୀରୁ ୮, ଟାଙ୍ଗୀରୁ ୯ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ପ୍ରଥମ ଲକ୍‌ଡାଉନ୍‌ ମାର୍ଚ୍ଚ ୨୫ ତାରିଖରେ ଆରମ୍ଭ ହେବା ଦିନ ଠାରୁ ମଇ ୧୪ ତାରିଖ ଯାଏଁ ଖୋର୍ଦ୍ଧା ଗ୍ରାମାଂଚଳରେ କୌଣସି ସଂକ୍ରମଣ ନଥିଲା, ଯଦିଓ ଏହି ସମୟରେ ଭୁବନେଶ୍ୱରରେ ପ୍ରାୟ ୨୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ମଇ ୧୪ ତାରିଖରେ ଟାଙ୍ଗୀ ଓ ବାଣପୁରରୁ ପ୍ରଥମ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ଓ ସମସ୍ତ ସଂକ୍ରମିତ ରାଜ୍ୟ ଓ ଦେଶ ବାହାରୁ ଆସିଥିଲେ। ଏହାପରେ ଜୁଲାଇ ୩୧ ତାରିଖ ପ୍ରାୟ ଅଢ଼େଇ ମାସରେ ୧୨ଶହ ସଂକ୍ରମିତ ହୋଇଥିବା ବେଳେ ଅଗଷ୍ଟ ୧ ଠାରୁ ୧୮ ତାରିଖ ମଧ୍ୟରେ ୧୮୯୭ ନୂତନ ସଂକ୍ରମିତ ଯୋଡ଼ି ହୋଇଛନ୍ତି।

ଏନେଇ ଜିଲ୍ଲାପାଳ ସନତ କୁମାର ମହାନ୍ତିି କହିଛନ୍ତିି ଯେ ଜିଲ୍ଲାର ଗ୍ରାମାଂଚଳରେ ସଂକ୍ରମଣର ସ୍ଥିତି ସେତେ ଜଟିଳ ନୁହେଁ। ଜିଲ୍ଲାର ମୋଟ ସଂକ୍ରମଣର ୩୪ ପ୍ରତିଶତ ଗ୍ରାମାଂଚଳରେ ଚିହ୍ନଟ କରାଯାଇଛି। ତେବେ ବର୍ତମାନ ସୁଦ୍ଧା ପ୍ରାୟ ୧୩ଶହ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ଜିଲ୍ଲାରେ ମଙ୍ଗଳବାର ସୁଦ୍ଧା ୨୨ଜଣଙ୍କ କୋଭିଡ-୧୯ ସଂକ୍ରମଣରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର