ଅନୁଗୁଳ: ଏଥର ଶିଳ୍ପ ନୁହେଁ, ରେଳ ମନ୍ତ୍ରଣାଳୟ ଓଏଫ୍‌ଡିସି(ଓଡ଼ିଶା ବନ ଉନ୍ନୟନ ନିଗମ)କୁ ଦେଇଥିଲା ଟଙ୍କା। ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ଯେତିକି ଗଛ ସବୁ କାଟି ନଷ୍ଟ କରାଯାଇଛି, ତା’ର ୧୦ଗୁଣ ବନୀକରଣ କରିବାକୁ ଓଏଫ୍‌ଡିସି ଦାୟିତ୍ବ ମୁଣ୍ଡାଇଥିଲା। ଅନୁଗୁଳ ସହରଠାରୁ ମାତ୍ର କେଇ କିଲୋମିଟର ଦୂର ବେଡ଼ାସରଠାରେ ଲଗାଇଥିଲା ୧୨ହଜାର ୬୨୦ଟି ଗଛ। କିନ୍ତୁ, ରକ୍ଷଣାବେକ୍ଷଣ ଏମିତି ଯେ, ପୂରା ୧୨ହଜାର ଗଛ ଶୁଖି ନଷ୍ଟ ହୋଇଛି। ଗତ ଜାନୁଆରି ୨୨ତାରିଖ ଦିନ ଅନୁଗୁଳ ବ୍ଲକ୍ ଚମ୍ପତ୍ତିମୁଣ୍ଡା ନବୋଦୟ ସ୍କୁଲ ପାଖରେ ଟିଟିପିଏସ୍‌ ନାଁରେ ଓଏଫ୍‌ଡିସି ଲଗାଇଥିବା ୫ହଜାର ଗଛ ଯେମିତି ଜଳି ନଷ୍ଟ ହୋଇଗଲା, ଅନୁରୂପ ଭାବେ ରେଳମନ୍ତ୍ରଣାଳୟର ଏହି ଗଛ ସମୂହ ଶୁଖିଲା କାଠି ସଦୃଶ ଠିଆ ହୋଇଛି।

Advertisment

ତଥ୍ୟ ମୁତାବକ, ଏ ସବୁଜ ବନାନୀ କରାଯାଇଥିଲା ରେଳ ମନ୍ତ୍ରଣାଳୟ ନାଁରେ। ପୂର୍ବତଟ ରେଲୱେ ଅନୁଗୁଳ ଜିଲ୍ଲା ଦେଇ ତାଳଚେର-ବିମଳାଗଡ଼ ନୂଆ ରେଳପଥ ନିର୍ମାଣ କରୁଛି। ଏ ନିର୍ମାଣ ପାଇଁ ରେଳପଥ କାଟିଛି ପ୍ରାୟ ୧୨୬୨ଗଛ। ସରକାରୀ ନିୟମ କହୁଛି, ଶିଳ୍ପ ପାଇଁ ହେଉ ଅବା ରେଳପଥ। କୌଣସି ପ୍ରକଳ୍ପ ପାଇଁ ଗଛ କଟା ହେଲେ ୧୦ଗୁଣ ବୃକ୍ଷରୋପଣ କରାଯିବ। ଏଥିପାଇଁ ସମ୍ପୃକ୍ତ ସଂସ୍ଥା ହିଁ ଟଙ୍କା ଖର୍ଚ୍ଚ କରିବ। ପୂର୍ବତଟ ରେଳପଥର ୧୨୬୨ଗଛର ଭରଣା ପାଇଁ ୧୨ହଜାର ୬୨୦ଗଛ ଲଗାଇବାକୁ ଯୋଜନା ହୋଇଥିଲା। ଏତେ ସଂଖ୍ୟାରେ ବନୀକରଣର ଦାୟିତ୍ବ ନେଇଥିଲା ଓଏଫ୍‌ଡିସି, ଅନୁଗୁଳ ଡିଭିଜନ। ବଅଁରପାଳ ବ୍ଲକ ଜରାସିଂହା ନିକଟ ବେଡ଼ାସର ଗାଁରେ ଏଥିପାଇଁ ୮ହେକ୍ଟର ଜମି ଚିହ୍ନଟ ହୋଇଥିଲା। ଏହି ଜମିରେ ବିଭିନ୍ନ ପ୍ରକାର ଚାରା ସବୁ ରୋପଣ କରାଯାଇଥିଲା। ଚାରାକୁ ବଡ଼ କରି ତିନି ବର୍ଷ ଯାଏ ରକ୍ଷଣାବେକ୍ଷଣ କରିବାର ଦାୟିତ୍ବ ମୁଣ୍ଡାଇଥିଲା ଓଏଫ୍‌ଡିସି। କିନ୍ତୁ, ଓଏଫ୍‌ଡିସିର ସୁରକ୍ଷା ଦାୟିତ୍ବ ଏମିତି ଯେ, ବୃକ୍ଷରୋପଣ ଆରମ୍ଭରୁ ୧୨ହଜାର ଗଛ ଶୁଖି ଯାଇଛି। ଗଛରେ ପର୍ଯ୍ୟାପ୍ତ ପତ୍ର ଅଛି, ଅଥଚ ସବୁଜତା ନାହିଁ। ୧୨ହଜାର ଗଛ ସବୁ ଶୁଖିଲା କାଠ ଭଳି ମାଟିରେ ଠିଆ ହୋଇଛି। କିଛି କିଛି ଗଛ ନିଆଁରେ ଜଳିଯାଇଛି। ଗୋଟିଏ ଗଛ ପିଛା ଅତି କମ୍‌ରେ ୩ଶହ ଟଙ୍କାର ଖର୍ଚ୍ଚ ହିସାବ ଦେଖିଲେ, ୧୨ହଜାର ବନୀକରଣରେ ପ୍ରାୟ ୩୬ଲକ୍ଷ ଟଙ୍କା ଛାର୍‌ଖାର୍‌ ହୋଇଯାଇଛି।

publive-image

ଏଥିପାଇଁ ନିଆଁକୁ ଦାୟୀ କରିଛନ୍ତି ଓଏଫ୍‌ଡିସିର ଅନୁଗୁଳ ଏସ୍‌ଡିଏମ୍‌ ରଜନୀକାନ୍ତ ନାୟକ। କହିଛନ୍ତି, ଗଛ ଲାଗିଥିଲା। ହୃଷ୍ଟପୁଷ୍ଟ ହୋଇ ବଢ଼ିଥିଲା ମଧ୍ୟ। ବିଭାଗ ପକ୍ଷରୁ ଜଗାରଖା ଚାଲିଥିଲା। ଏହି ୧୨ହଜାର ଗଛ ଭିତରେ କିଛି ମହୁଲ ଗଛ ଥିଲା। କିଛି ଦିନ ତଳେ ହଠାତ୍‌ କେହି ନିଆଁ ଲଗାଇ ଦେବାରୁ ସବୁଜ ବନାନୀ ନଷ୍ଟ ହୋଇଛି। କିନ୍ତୁ, ଅଳ୍ପ କିଛି ଗଛ କ୍ଷତି ହୋଇଛି, ବହୁତ ଗଛ ବଞ୍ଚିଛି ବୋଲି ଶ୍ରୀ ନାୟକ ଦାବି କରିଛନ୍ତି। ବର୍ତ୍ତମାନ ଗଛରେ ପାଣି ଦିଆଯାଉଛି। ଗଛ ପତ୍ରଝଡ଼ା ଦେଇଥିବାରୁ ଏମିତି ଦେଖାଯାଉଛି। ବହୁତ ଗଛ ବଞ୍ଚିଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଟିଟିପିଏସ୍ ପରେ ରେଳ ମନ୍ତ୍ରଣାଳୟର ଏତେ ଗୁଡ଼ାଏ ଗଛ ନଷ୍ଟ ହେବା ଘଟଣା ଓଏଫ୍‌ଡିସିର ଦାୟିତ୍ବହୀନତା ଏବଂ ଅବହେଳାକୁ ସୂଚାଇ ଦେଉନାହିଁ, ବରଂ ପ୍ରଦୂଷଣ ଯୁକ୍ତ ଅନୁଗୁଳ ଶିଳ୍ପାଞ୍ଚଳର ମୂଲ୍ୟବାନ ସବୁଜ ବନାନୀ କେମିତି ନଷ୍ଟ ହୋଇ ଚାଲିଛି ଗତ ଦୁଇ ମାସର ଏହି ଦୁଇଟି ଘଟଣା ସ୍ପଷ୍ଟ କରୁଛି।