ବାଲେଶ୍ବରରେ ୧୨୧ ଛୁଇଁଲା କରୋନା ପଜିଟିଭ: ଖଇରା ଓ ରେମୁଣା ଅଞ୍ଚଳରୁ ପୁଣି ୨ ଚିହ୍ନଟ

ବାଲେଶ୍ବର: କରୋନା ଭୂତାଣୁ ସଂକ୍ରମଣରେ ରେଡ୍‌ଜୋନ୍‌ ତାଲିକାରେ ଥିବା ବାଲେଶ୍ବର ଜିଲ୍ଲାରେ ଆଜି ପୁଣି ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖଇରା ବ୍ଲକ ସାରକୋଣା ‌ଅଞ୍ଚଳର ୭୫ ବର୍ଷୀୟ ବୃଦ୍ଧ ଏବଂ ଅନ୍ୟଜଣେ ରେମୁଣା ବ୍ଲକ ଗନିପୁର କଅଁରାଳି ଅଞ୍ଚଳର ୫୨ ବର୍ଷୀୟ ବ୍ୟକ୍ତି। ଜିଲ୍ଲାରେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଥିବା ବେଳେ ‌ଆଜି ପର୍ଯ୍ୟନ୍ତ କରୋନାମୁକ୍ତ ଥିବା ରେମୁଣା ବ୍ଲକ ଶେଷରେ ସଂକ୍ରମିତ ବ୍ଲକ ତାଲିକାରେ ସାମିଲ ହୋଇଛି।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଖଇରା ବ୍ଲକ୍‌ର ଆକ୍ରାନ୍ତ ବୃଦ୍ଧଜଣକ ଗତ ରବିବାର ଘରେ ଥିବାବେଳେ ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଘରଲୋକ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ କରୋନା ପାଇଁ ତାଙ୍କର ସ୍ବାବ୍‌ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ଯାଇଥିଲା।

ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ପ୍ରକାଶ ଥାଉକି ପୂର୍ବରୁ ଖଇରା ବ୍ଲକରେ ୧୧ଟି କରୋନା ପଜିଟିଭ୍ ବାହାରିଥିବାବେଳେ ଆଜିକୁ ମିଶାଇ ବ୍ଲକ୍‌ରେ ପଜିଟିଭ ସଂଖ୍ୟା ୧୨ ଛୁଇଁଲା। ସେଥିରୁ ୩ ଜଣ ସୁସ୍ଥହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସେହିପରି ରେମୁଣା ଅଞ୍ଚଳରୁ ଆଜି ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ଦୀର୍ଘ ୨ ମାସ ଧରି ଥଣ୍ଡାଜ୍ବରରେ ପୀଡ଼ିତ ଥିଲେ ତାଙ୍କର ଡାଇବେଟିସ ମଧ୍ୟ ଅଛି।

ନିକଟ‌ରେ ସେ ଭୁବନେଶ୍ବର ମଧ୍ୟ ଚିକିତ୍ସା ହେବାକୁ ଯାଇଥିଲେ। ତେବେ ଏହାରି ଭିତରେ ସେ ଦୁଇଥର ନିଜର ସ୍ବାବ ନମୁନା ପରୀକ୍ଷା ପାଇଁ ଦେଇଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆକ୍ରାନ୍ତ ବ୍ୟକ୍ତି ଜଣକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ସେ କିଛିଦିନ ହେଲା କଅଁରାଳି ସମେତ ସ୍ଥାନୀୟ ଗୋବିନ୍ଦପୁର(ନହରପାଟଣା) ସ୍ଥିତ ତାଙ୍କ ଶ୍ବଶୁରଘରକୁ ଯିବାଆସିବା କରୁଥିଲେ। ତେବେ ମେଡିକାଲ ଟିମ୍‌ ସେଠାରେ ପହଁଚି ତାଙ୍କୁ କୋଭିଡ୍ ହସ୍ପିଟାଲକୁ ନେଇଥିବା ବେଳେ ଉକ୍ତ ଅଞ୍ଚଳକୁ ସିଲ କରାଯିବ କି ନାହିଁ ସେନେଇ କୌଣସି ନିଷ୍ପତି ନିଆଯାଇ ନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ତୁରନ୍ତ ତାଙ୍କର କଣ୍ଟାକ୍ଟ‌ ଟେସିଂ କରାଯାଇ ନମୁନା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର