ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ଆଜିସୁଦ୍ଧା କରୋନା ପରୀକ୍ଷା ନିମନ୍ତେ ୧୪୪ଟି ସାମ୍ପଲ୍ ଯାଇଛି। ସେଗୁଡିକ ମଧ୍ୟରୁ ୧୨୨ଟିର ରିପୋର୍ଟ ହସ୍ତଗତ ହୋଇଛି। ସମସ୍ତ ୧୨୨ଟି ରିପୋର୍ଟ ନେଗେଟିଭ୍ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାକୁ ବିଭିନ୍ନ ଦେଶରୁ ୯୫ ଜଣ ବିଦେଶ ଫେରନ୍ତା ବ୍ୟକ୍ତି ଆସିଛନ୍ତି। ସମସ୍ତଙ୍କର ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଛି। ଆଉ ମାତ୍ର କିଛି ବିଦେଶ ଫେରନ୍ତାଙ୍କ ରିପୋର୍ଟ ଆସିବାକୁ ବାକି ଥିବା ବେଳେ ଅନ୍ୟମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଯାହାକି ଜିଲ୍ଲାପାଇଁ ଏକ ଖୁସି ଖବର। ସେହିପରି ଏପ୍ରିଲ୍ ୭ ସୁଦ୍ଧା ସୁଦ୍ଧା ବିଭିନ୍ନ ରାଜ୍ୟରୁ ମୟୂରଭଞ୍ଜକୁ ପ୍ରାୟ ୧୦ହଜାରରୁ ଊର୍ଧ୍ବ ବ୍ୟକ୍ତି ଆସିଥିବା ଜଣାପଡ଼ିଛି। ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନ ରହିଛନ୍ତି। ହୋମ୍ କ୍ୱାରେଣ୍ଟାଇନ ସରିଯାଇଥିଲେ ମଧ୍ୟ ପ୍ରତିଦିନ ସମସ୍ତଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଉଛି।
ସ୍ଥାନୀୟ ଏଏନ୍ଏମ ଓ ଆଶା ଦିଦିଙ୍କ ସହାୟତାରେ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଆବଶ୍ୟକସ୍ଥଳେ ଡାକ୍ତରୀ ପରାମର୍ଶ ଦିଆଯାଉଛି। ପିଆରଏମ୍ରେ ଥିବା ଆଇସୋଲେସନ୍ ୱାର୍ଡରେ ଆଜିପର୍ଯ୍ୟନ୍ତ ୩ଜଣ ଭର୍ତ୍ତି ହୋଇ ଅଛନ୍ତି। ସେମାନଙ୍କର ସ୍ବାବ୍ ରିପୋର୍ଟ କିନ୍ତୁ ନେଗେଟିଭ୍ ଆସିଛି। ଜିଲ୍ଲାକୁ ବିଦେଶ କିମ୍ବା ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ସମସ୍ତଙ୍କ ଉପରେ ପ୍ରଶାସନ ନଜର ରଖିଛି। ତେବେ ଜିଲ୍ଲାବାସୀ କିନ୍ତୁ ନିଜ ଘରେ ରହିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିଜେ ସୁରକ୍ଷିତ ରହିବା ସହିତ ସମସ୍ତଙ୍କୁ ସୁରକ୍ଷିତ ରଖିବାରେ ଘରେ ରହିବା ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଇଛି। ସମସ୍ତେ ଏହାକୁ ମାନିବାକୁ ଅନୁରୋଧ କରାଯାଇଛି। ପୂର୍ବରୁ ଜିଲ୍ଲାର ସମସ୍ତ ସାମ୍ପଲ୍ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆରଏମ୍ଆରସିକୁ ପଠାଯାଉଥିବାବେଳେ ଏବେ କଟକସ୍ଥିତ ଏସସିବି ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲକୁ ପଠାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Coronavirus_Gear_EPS.jpg)