ରାୟଗଡା: ରାୟଗଡା ଜିଲ୍ଳା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା। ରାୟଗଡା ଜିଲ୍ଳା ସଦର ମହକୁମାର ରେଳବାଇ ଷ୍ଟେସନ ଛକ, ଗୁଣୁପୁର ରେଳବାଇ ଷ୍ଟେସନ ଛକ ଓ ବସଷ୍ଟାଣ୍ଡ ଅଂଚଳରୁ ୧୨୩ କିଲୋ ଗଂଜେଇ ଜବତ କରାଯାଇଛି।ଏଥିରେ ୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି। କଲ୍ୟାଣସିଂହପୁର ଅଂଚଳରୁ ୨୫ ଲିଟର ଦେଶୀ ମଦ ଜବତ କରାଯିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାୟଗଡା ସଦରରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଅବକାରୀ ସଦର ଥାନା ଇନ୍ସପେକ୍ଟର ସୀମାକିରଣ ବେଗ୍ ଓ ଜିଲ୍ଳା ମୋବାଇଲ୍ ୟୁନିଟ୍ ଇନ୍ସପେକ୍ଟର ହିତାଂସୁ ଶେଖର ନାୟକଙ୍କ ନେତୃତ୍ୱରେ ସଦର ଅବକାରୀ ଥାନା ଷ୍ଟାଫ୍ ଏବଂ ମୋବାଇଲ୍ ୟୁନିଟ୍ ମିଳିତ ଭାବେ ରାୟଗଡା ରେଳବାଇ ଷ୍ଟେସନ ଛକ ଓ ବସଷ୍ଟାଣ୍ଡ ଅଂଚଳରେ ଚଢାଉ କରିଥିଲେ।ରେଳବାଇ ଷ୍ଟେସନ ଛକରେ ଚଢାଉ ସମୟରେ ଜଣେ ଅଭିଯୁକ୍ତ ବାଲୁ ରାମଚନ୍ଦ୍ର ଚୌହାନଙ୍କ ଠାରୁ ୬୦କେଜି ଗଂଜେଇ ଜବତ ହୋଇଥିବା ବେଳେ ଗୁଣୁପୁର ରେଳବାଇ ଷ୍ଟେସନ ଛକ ନିକଟରୁ ଅଭିଯୁକ୍ତ ଅବିନାଶ ଚୌହାନଙ୍କଠାରୁ ୪୫ କିଲୋ ଗଂଜେଇ ଜବତ କରାଯାଇଛି।ସେହିପରି ସଦର ମହକୁମାର ବସଷ୍ଟାଣ୍ଡ ଅଂଚଳରୁ ଅଭିଯୁକ୍ତ ତରଙ୍ଗ କୁମାର ରାମଚନ୍ଦ୍ର କ୍ଷେତ୍ରୀଙ୍କ ଠାରୁ ୧୮.୨୫୦କେଜି ଗଂଜେଇ ଜବତ କରାଯାଯାଇଛି। ତେବେ ପ୍ରତ୍ୟେକ ଘଟଣାରେ ଜଣେ ଲେଖାଏଁ ଅଭିଯୁକ୍ତକୁ ଗିରଫ କରାଯାଇଛି।

Advertisment

publive-image

ଅଭିଯୁକ୍ତ ଦ୍ୱୟ ଅବିନାଶ ଏବଂ ବାଲୁ ରାମଚନ୍ଦ୍ର ରାଜସ୍ଥାନର ବୋଲି ଜଣାପଡିଥିବାବେଳେ କନ୍ଧମାଳ ଜିଲ୍ଳାରୁ ସେମାନେ ଗଂଜେଇ ଆଣି ବାହାରକୁ ନେଇ ଯିବା ପାଇଁ ଅପେକ୍ଷା କରି ରହିଥିଲେ ବୋଲି ଅବକାରୀ ପୁଲିସ ଅନୁମାନ କରିଛି। ତରଙ୍ଗ କୁମାର ଗୁଜରାଟ ଅଂଚଳର ବୋଲି ଅବକାରୀ ବିଭାଗ କହିଛି। ଉଭୟ ତିନୋଟି ସ୍ଥାନରୁ ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୩୦ହଜାର ୫୦୦ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି। କଲ୍ୟାଣସିଂହପୁର ଅଂଚଳର ସିରିଗୁମ୍ମା ଗ୍ରାମର ସିବମ କେରକେରାଙ୍କ ଠାରୁ ୯ ଲିଟର ଏବଂ କଣାଗାଁ ଗ୍ରାମର ପିଡିସିକା ରାଇସାଙ୍କ ଠାରୁ ୧୬ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଦ୍ବୟ ଆସାମୀଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସବ୍ଇନ୍ସପେକ୍ଟର କିଶୋର ଚନ୍ଦ୍ର ରଥ,ଏଏସଆଇ ସଂଗ୍ରାମ କେଶରୀ ପ୍ରଧାନ,କନେଷ୍ଟବଳ ପି.କିଶୋର,ସନ୍ତୋଷ ଗଉଡ,ଇଶ୍ୱର କାଡ୍ରକା,ଚନ୍ଦନ ପାଣି,ଅର୍ଜୁନ ମୁଣ୍ଡାଗଡିଆ,ସଂଜୟ ମାଝି ଓ ରୀନା ବାରିକ୍ ପ୍ରମୁଖ ସାମିଲ ହୋଇଥିଲେ।ବର୍ତମାନ ଖୁଲମଖୁଲା ରାୟଗଡା ସହରରେ ଅସାଧୁ ବ୍ୟବସାୟୀମାନେ ଗଂଜେଇ ନେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ତଥା ସ୍ଥାନୀୟ ପୋଲିସ ହାତରେ ଧରାପଡିବାର ଭୟ ସେମାନଙ୍କ ପାଖରେ ନଥିବା ଦେଖିବାକୁ ମିଳିଛି। ଜିଲ୍ଳାରେ ନିୟମିତ ଭାବେ ଅବକାରୀ ଓ ସ୍ଥାନୀୟ ଜିଲ୍ଳା ପୋଲିସର ଯାଂଚ କଡାକଡି ହେଉଥିବା ସ୍ଥଳେ ବେଆଇନ ଗଂଜେଇ ଚୋରା ଚାଲାଣ କରିବାରେ ଅସାଧୁ ବ୍ୟବସାୟୀମାନେ ପଛଘୁଂଚା ଦେଉ ନାହାନ୍ତି।