କୋରାପୁଟ ଜିଲ୍ଲା ଯୋଜନା କମିଟି ବୈଠକରେ ୧୨୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

କୋରାପୁଟ: ଜିଲ୍ଲା ଯୋଜନା କମିଟିର ବୈଠକରେ ଆଜି ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ବୈଠକରେ ସମୁଦାୟ ୧୨୩୩ କୋଟି ଟଙ୍କା ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଛି। ବିଜୁ କେବିକେ ଯୋଜନାରେ ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଛି। ବୈଠକରେ ସଡକ, ବିଜୁଳି ଓ ଜଳ ଯୋଗାଣକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। କରୋନା ମାଡରେ ଗତବର୍ଷ ତୁଳନାରେ ଏଥର ଜିଲ୍ଲାର ବ୍ୟୟ ଅଟକ କମିଛି। ତେବେ ଗତବର୍ଷ ଜିଲ୍ଲା ପାଇଁ ହୋଇଥିବା ବ୍ୟୟ ଅଟକଳର ଅଧା ଟଙ୍କା ବି ଖର୍ଚ୍ଚ ହୋଇ ନ ଥିବାରୁ ଜନ ପ୍ରତିନିଧିମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଟଙ୍କା ଖର୍ଚ୍ଚ କରି ପାରି ନ ଥିବା ବିଭାଗଗୁଡିକୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ।

ସ୍ଥାନୀୟ ସଦଭାବନା ସଭାଗୃହରେ ଆଜି ଜିଲ୍ଲା ଯୋଜନା କମିଟି ବୈଠକ ବସିଥିଲା। କମିଟିର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ନବରଙ୍ଗପୁର ସାଂସଦ ରମେଶ ମାଝୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟାଙ୍ଗୀ ବିଧାୟକ ପୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ, ଜିଲ୍ଲା ପରିଷଦ ଅଧୢକ୍ଷ ତୁଳସୀ କିର୍ସାନୀ ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ରଖିଥିଲେ। ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆରମ୍ଭରୁ ବିଗିଡିଥିଲେ। କହିଥିଲେ, ଗାଁ ଗାଁରେ ରାସ୍ତା ଓ ପାନୀୟ ଜଳର ସମସ୍ୟା ରହିଛି। ବିଜୁଳି ଜଳୁନି। ଗର୍ଭବତୀ ଭାରରେ ବୁହା ହୋଇ ଡାକ୍ତରଖାନା ଆସୁଛନ୍ତି। ଏଥିପ୍ରତି କାହାର ନଜର ପଡୁନି। ତେଣୁ ଗ୍ରାମାଞ୍ଚଳରେ କାମକୁ ଗୁରୁତ୍ବ ଦିଆଯାଉ ବୋଲି ବିଧାୟକ କହିଥିଲେ।

ସହରାଞ୍ଚଳ ଓ ବ୍ଲକ ମୁଖ୍ୟାଳୟଗୁଡିକରେ ଉନ୍ନତି ମୂଳକ କାମ ଅପେକ୍ଷା ଗାଁରେ ବିକାଶମୂଳକ କାମ କରି ଲୋକଙ୍କୁ ମୁଖ୍ୟ ସ୍ରୋତରେ ଯୋଡିବା ଲାଗି ବାହିନୀପତି କହିଥିଲେ। ସାଂସଦ ଓ ବିଧାୟକମାନେ ମଧ୍ୟ ଉନ୍ନୟନମୂଳକ କାମକୁ ଗୁରୁତ୍ବ ଦେଇଥିଲେ। ସେମାନେ କହିଥିଲେ ଯେ, ଦଳମତ ନିର୍ବିଶେଷରେ ଜିଲ୍ଲାର ବିକାଶକୁ ପ୍ରାଥମିକତା ଦିଆଯାଉ। ଏଥିରେ କୌଣସି ସାଲିସକୁ ବରଦାସ୍ତ କରାଯିବନି।
ବୈଠକରେ ୨୦୧୯–୨୦ ଆର୍ଥିକ ବର୍ଷର ଅଟକଳ ଓ ଖର୍ଚ୍ଚ ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ, ଗତବର୍ଷ ୧୬୦୪ କୋଟି ଟଙ୍କା ଯୋଜନା ଜିଲ୍ଲା ପାଇଁ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଏଥିରୁ ମାତ୍ର ୬୧୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସମୁଦାୟ ବ୍ୟୟ ଅଟକଳର ମାତ୍ର ୩୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବା ଜନ ପ୍ରତିନିଧିମାନେ ଏହାକୁ ନେଇ ତାତିଥିଲେ। ଟଙ୍କା ଖର୍ଚ୍ଚ କରି ପାରୁ ନ ଥିବା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ବିଧାୟକ ଓ ସାଂସଦମାନେ କହିଥିଲେ।

ଚଳିତ ଆର୍ଥିକ ବର୍ଷ ନିମନ୍ତେ କୃଷି କ୍ଷେତ୍ର ନିମନ୍ତେ ୭୦ କୋଟି, ଗ୍ରାମୀଣ ବିକାଶ ନିମନ୍ତେ ୨୮୯ କୋଟି, ସ୍ବତନ୍ତ୍ର ଅଂଚଳ କାର୍ଯ୍ୟକ୍ରମ ନିମନ୍ତେ ୩୧ କୋଟି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ନିମନ୍ତେ ୮କୋଟି, ଶକ୍ତି ବିଭାଗ ପାଇଁ ୭ କୋଟି, ଶିଳ୍ପ ଓ ଖଣିଜ କ୍ଷେତ୍ର ନିମନ୍ତେ ୨ କୋଟି, ପରିବହନ କ୍ଷେତ୍ର ନିମନ୍ତେ ୬୫ କୋଟି, ବିଜ୍ଞାନ ଓ ପରିବେଶ ନିମନ୍ତେ ୨ କୋଟି, ସାଧାରଣ ଅର୍ଥନୀତି ସେବା କ୍ଷେତ୍ର ନିମନ୍ତେ ୨୧୦ କୋଟି, ଓ ସାମାଜିକ ସେବା କ୍ଷେତ୍ର ନିମନ୍ତେ ୫୪୬ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହିପରି ଜିଲ୍ଲାର ୨୦୨୦-୨୧ ଅର୍ଥିକ ବର୍ଷର ୧୨୩୩ କୋଟି ୪୫ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତାବ ରଖାଯାଇଥିଲା। ଆଜିର ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି। ଏହି ଅର୍ଥ ଅନୁମୋଦନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ।

ଜିଲ୍ଲା ଯୋଜନା ଓ ସଂଯୋଜନା ଉପ ନିର୍ଦେଶକ ସୁର୍ଯ୍ୟକାନ୍ତ ବେହେରା ଯୋଜନା ପ୍ରସ୍ତୁତି ଓ ଏହାର ରୂପରେଖ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଡିଆରଡିଏ ପିଡି ପ୍ରବୀର କୁମାର ନାୟକ, ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଭବାନୀ ଶଙ୍କର କାଲୋ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା, କୋରାପୁଟ ପିଡବ୍ଲୁଡି ଡିଭିଜନର ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା, ଜୟପୁର ପିଡବ୍ଲୁଡି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବହୀ ଯନ୍ତ୍ରୀ ଶଶିଭୁଷଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣର ଉପ ନିର୍ଦେଶକ ସୂର୍ଯ୍ୟକାନ୍ତ ବେହେରା ପରିଚାଳନା କରିଥିଲେ।

 

ସମ୍ବନ୍ଧିତ ଖବର