ଡମ୍ବରୁଧର ନାୟକ
ସୁନ୍ଦରଗଡ଼: କୋଇଲାଖଣିରେ ଲୀନହେବାକୁ ଥିବା ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ର ୧୨୫ ଗାଁ ଏବେ ଆଶଙ୍କାରେ ଥରୁଛନ୍ତି। ଏମ୍ସିଏଲ୍, ଏନ୍ଟିପିସି, ଓସିପିଏଲ୍, ବେଦାନ୍ତର ୭ଟି କୋଇଲା ଖଣି ପ୍ରକଳ୍ପ ପରେ ହେମଗିର ଅଞ୍ଚଳରେ ଆଗକୁ ଆହୁରି ୧୮ଟି ଖଣି ଖୋଳିବାକୁ ପ୍ରସ୍ତାବ ରହିଥିବାରୁ ଏସବୁ ଗାଁକୁ ଘାରିଛି ବିସ୍ଥାପନ ଭୟ। ୨୭ ବର୍ଷ ପରେ ବି ଏମ୍ସିଏଲ୍ର ବିସ୍ଥାପନ ଯନ୍ତ୍ରଣା ସରି ନଥିବାବେଳେ ପୁଣି କାଳ ଭଳି ମାଡ଼ି ଆସୁଥିବା ସମ୍ଭାବ୍ୟ ବିସ୍ଥାପନ ଯନ୍ତ୍ରଣା ଖଣି ଅଞ୍ଚଳବାସୀଙ୍କୁ ଆତଙ୍କିତ କରି ରଖିଛି। ହେମଗିର ଅଞ୍ଚଳରେ ୧୯୯୫ରୁ ଖଣି ଖୋଳି ଚାଲିଥିବା ମହାନଦୀ ଖୋଲାମୁହଁ କୋଇଲାଖଣି ହେଉ କି ଏନ୍ଟିପିସିର ଡୁଲିଙ୍ଗା, ଓପିସିଏଲ୍ର ମନୋହରପୁର ଅଥବା ବେଦାନ୍ତର ଜାମକାନି କେଉଁଠି ବି ବିସ୍ଥାପିତଙ୍କୁ ମିଳିପାରିନି ନ୍ୟାୟ। ନୀତି ନିୟମ ଅନୁଯାୟୀ ନ୍ୟାଯ୍ୟ କ୍ଷତିପୂରଣ, ପୁନର୍ବାସ, ଥଇଥାନ କରିବାରେ କମ୍ପାନିଗୁଡ଼ିକ ବିଭିନ୍ନ ଆଳରେ ଦିନ ଗଡ଼ାଇ ଚାଲିଛନ୍ତି। ଏପରିକି ପ୍ରଶାସନ ମଧ୍ୟ ବିସ୍ଥାପିତଙ୍କ ଯନ୍ତ୍ରଣାକୁ ଅଣଦେଖା କରିଚାଲିଛି। ପୁନର୍ବାସ, ଥଇଥାନ କଥା ତ ଦୂରେ ଥାଉ, ବିସ୍ଥାପିତଙ୍କୁ ଏ ଯାଏଁ ବିସ୍ଥାପିତ ପ୍ରମାଣପତ୍ର, ୧୦ ଡିସିମିଲ୍ ଜମି ବି ମିଳି ନାହିଁ। ଅପରପକ୍ଷେ ବିସ୍ଥାପିତମାନେ ନ୍ୟାୟ ପାଇଁ ପ୍ରଶାସନ, କ୍ଲେମ୍ କମିସନ୍ ଓ ସର୍ବୋଚ୍ଚ ନ୍ୟାୟାଳୟ ଦୌଡ଼ିଦୌଡ଼ି ନୟାନ୍ତ ହେଉଛନ୍ତି। ଏହି ସ୍ଥିତିରେ ଆଗକୁ ମାଡ଼ି ଆସୁଥିବା ୧୮ଟି ଖଣିର ବିସ୍ଥାପନ ଅଞ୍ଚଳବାସୀଙ୍କୁ ଭୀତତ୍ରସ୍ତ କରିଛି।
ସୁନ୍ଦରଗଡ଼ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଦିଗରେ ୯୩୪ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି ହେମଗିର ବ୍ଲକ୍। ସେଥିରୁ ୬୨୩ ବର୍ଗ କିଲୋମିଟର କେବଳ ଘଞ୍ଚ ଜଙ୍ଗଲ। ଏହାରି ତଳେ କାର୍ଯ୍ୟକ୍ଷମ ୩ଟି ରାଷ୍ଟ୍ରାୟତ୍ତ କମ୍ପାନିର ୫ କୋଇଲାଖଣି ସମେତ ପ୍ରସ୍ତାବିତ ୧୮ କୋଇଲା ଖଣିର ୩୫୨.୮୩ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୩୦୧୯୪.୯୪୪ ମିଲିୟନ ଟନ୍ କୋଇଲା ଗଚ୍ଛିତ ରହିଛି। କାର୍ଯ୍ୟକ୍ଷମ ୫ଟି ଖଣି ଏମ୍ସିଏଲ୍ ବସୁନ୍ଧରା ପୂର୍ବ, ପଶ୍ଚିମ ସମ୍ପ୍ରସାରଣ ପ୍ରକଳ୍ପରେ ୨୨୭.୬୨ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଥିବାବେଳେ କୁଲଡ଼ା ପ୍ରକଳ୍ପରେ ୨୭୯.୨୦ ହେକ୍ଟର, ଗର୍ଜନବାହାଲ ପ୍ରକଳ୍ପରେ ୮୮.୯୦ ହେକ୍ଟର ଜଙ୍ଗଲ ନଷ୍ଟହେବ। ଏହାସହ ଏମ୍ସିଏଲ୍ର ୪ଟି ଖଣିରେ ୪ଟି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଛି ଓ ଆଗକୁ ଆହୁରି ୧୦ଟି ଗାଁ ବିସ୍ଥାପିତ ହେବ। ସେହିପରି ଏନ୍ଟିପିସି ଡୁଲିଙ୍ଗା ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ୩୨୩.୦୯ ହେକ୍ଟର ଜଙ୍ଗଲ ନଷ୍ଟ ଓ ୪ଟି ଗାଁରେ ବିସ୍ଥାପନ ହୋଇଛି। ଓସିପିଏଲ୍ ମନୋହରପୁର ଓ ମନୋହରପୁର ଡିପ୍ସାଇଡ୍ ପ୍ରକଳ୍ପରେ ୬୧୧.୧୪୮ ହେକ୍ଟର ଜଙ୍ଗଲ ନଷ୍ଟ ଓ ୪ଟି ଗାଁ ବିସ୍ଥାପିତ ହୋଇଛନ୍ତି। ୫ ଖଣି ପାଇଁ ବ୍ଲକ୍ ଜନସଂଖ୍ୟାର ଏକଦଶମାଂଶ ବିସ୍ଥାପିତ ହୋଇଥିବାବେଳେ ମୋଟ ଜଙ୍ଗଲର ଏକ ସପ୍ତମାଂଶ ନଷ୍ଟ ହୋଇସାରିଛି। ଉକ୍ତ ପ୍ରସ୍ତାବିତ ୧୮ଟି ଖଣି ଖୋଲିଲା ପରେ ଉଭୟ ବିସ୍ଥାପନ ଓ ଜଙ୍ଗଲ ନଷ୍ଟ ବହୁଗୁଣ ବଢ଼ିଯିବ। ହେମଗିର ଧ୍ବଂସସ୍ତୁପରେ ପରିଣତ ହେବ। ସିଆରମାଲ ପ୍ରକଳ୍ପରେ ୩୪୯.୭୦୯ ହେକ୍ଟର ଜଙ୍ଗଲ ନଷ୍ଟହେବାକୁ ଥିବାବେଳେ ୟୁଏମ୍ପିପି ମୀନାକ୍ଷି ଏ, ମୀନାକ୍ଷି ବି, ମୀନାକ୍ଷି ପଶ୍ଚିମ ଓ ଡିପ୍ସାଇଡ୍ ମୀନାକ୍ଷି ପ୍ରକଳ୍ପରେ ୪ ଶହ ହେକ୍ଟର, ବେଦାନ୍ତ ଷ୍ଟେରଲାଇଟ୍ ବିଜାହାନ ପ୍ରକଳ୍ପରେ ୬୦୮.୬୪ ହେକ୍ଟର ଓ ଜାମକାନି ପ୍ରକଳ୍ପରେ ୨୧୨ ହେକ୍ଟର ଜଙ୍ଗଲ ଏହିପରି ମୋଟ ୩୧୦୦.୩୦୭ ହେକ୍ଟର ଜଙ୍ଗଲ ଖଣିଗର୍ଭରେ ଲୀନ ହୋଇଯିବ।