ଯଜ୍ଞ ପ୍ରସାଦ ଖାଇ ୧୨୭ ଜଣ ଝାଡାବାନ୍ତିରେ ଆକ୍ରାନ୍ତ, ରାତି ଅଧରେ ପହଞ୍ଚିଲେ ଦୁଇ ଡାକ୍ତରୀ ଦଳ

ବନ୍ତଳା: ଅନୁଗୁଳ ବ୍ଲକ ରୋଡ଼ସିଙ୍ଗା ଗ୍ରାମରେ ଗ୍ରାମ୍ୟଶାନ୍ତି ଯଜ୍ଞ ଚାଲିଥିବା ବେଳେ ପ୍ରସାଦ ଖାଇ ଗ୍ରାମର ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ବନ୍ତଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇଟି ଡାକ୍ତରୀ ଦଳ ଗ୍ରାମରେ ପହଂଚି ଆକ୍ରାନ୍ତ ଲୋକଙ୍କ ଚିକିତ୍ସା କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ ରୋଡ଼ସିଙ୍ଗା ଗ୍ରାମରେ ଗତ ମଙ୍ଗଳବାର ଦିନ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ତେବେ ସେଠାରେ ନାମ ସଂକୀର୍ତ୍ତନ ସାଙ୍ଗକୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ମଙ୍ଗଳବାର ଦିନ ସନ୍ଧ୍ୟାରେ ଗ୍ରାମର ଲୋକମାନେ ରୋଷେଇ ହୋଇଥିବା ପ୍ରସାଦ(ଭାତ,ଡାଲମା)ଖାଇଥିଲେ।

ଆଉ କେତେକ ବ୍ୟକ୍ତି ବୁଧବାର ଦିନ ମଧ୍ୟ ସେହି ପ୍ରସାଦକୁ ଖାଇଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଗ୍ରାମର ଜଣେ ପରେ ଜଣେ ବ୍ୟକ୍ତିଙ୍କ ଝାଡା ସହ ବାନ୍ତି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ରାତି ୧୦ଟା ବେଳକୁ ଗ୍ରାମର ପ୍ରାୟ ୮୦ଜଣ ପୁରୁଷ ଓ ମହିଳା ଏଥିରେ ଆକ୍ରାନ୍ତ ହୋଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଁଚିବା ପରେ ଅନୁଗୁଳ ଓ ବନ୍ତଳା ମେଡ଼ିକାଲର ଦୁଇଟି ଡାକ୍ତରୀ ଦଳ ରାତି ପ୍ରାୟ ସାଢେ଼ ୧୨ଟାବେଳେ ରୋଡ଼ସିଙ୍ଗା ଗ୍ରାମରେ ପହଂଚି ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିଲେ। ତେବେ ଗ୍ରାମରେ ୧୮୦ ପରିବାର ବାସ କରୁଥିବାବେଳେ ଏପର୍ଯ୍ୟନ୍ତ ମୋଟ ୧୨୭ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି।

ତାମଧ୍ୟରୁ ୧୧ଜଣ ବ୍ୟକ୍ତି ଗୁରୁତର ଥିବାରୁ ତାଙ୍କୁ ସାଲାଇନ ଦିଆଯାଇଛି। ପ୍ରସାଦ ରୋଷେଇରେ ବ୍ୟବହୃତ କୂଅର ଜଳକୁ ପରୀକ୍ଷା କରିବାକୁ ନିଆଯାଇଛି। ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୌମ୍ୟରଞ୍ଜନ ନନ୍ଦ,ଫାର୍ମାସିଷ୍ଟ ଛବିନ୍ଦ୍ର ସାମଲ, ନିରାମୟ ଫାର୍ମାସିଷ୍ଟ ସତ୍ୟଜିତ ଦେହୁରୀ, ସ୍ୱାସ୍ଥ୍ୟ ପରିଦର୍ଶକ ଆକାଶ ଦେହୁରୀ ଓ ଅନୁଗୁଳ ମେଡିକାଲ ଡାକ୍ତର ଡ଼ଃ ଧନଞ୍ଜୟ ବେହେରା, ମାଇକ୍ରୋଲୋଜିଷ୍ଟ ଏସ.ଏସ.ତ୍ରିପାଠୀ, ସ୍ୱାସ୍ଥ୍ୟ ପରିଦର୍ଶକ ସୁଧୀର କୁମାର ବେହେରା ଘଟଣାସ୍ଥଳରେ ପହଂଚି ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିଲେ।

ସମ୍ବନ୍ଧିତ ଖବର