ଦଶାହ ଭୋଜି ଖାଇ ଝାଡାବାନ୍ତିରେ ୧୩ ଆକ୍ରାନ୍ତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଦଗୁଲୁମି ଗ୍ରାମରେ ଏକ ଦଶାହ ଭୋଜି ଖାଇ ୧୩ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି | ସମସ୍ତ ଆକ୍ରାନ୍ତଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି | ମିଳିଥିବା ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଦଗୁଲୁମି ଗ୍ରାମରେ ଗତକାଲି ଜଣଙ୍କ ଦଶାହ ଭୋଜି କାର୍ଯ୍ୟ ଚାଲିଥିଲା | ଏଥିରେ ମଦଗୁଲୁମି ଗ୍ରାମବାସୀ ଯୋଗଦାନ କରି ଦଶାହ ଭୋଜି ଖାଇଥିଲେ |

ତେବେ ରାତିରେ ମଦଗୁଲୁମି ଗ୍ରାମର ଶୁକ୍ରୀ ଯାନୀ(୭୫), ଶୁକଲଦେଇ ଯାନୀ(୩୫), ଉମରଦେଇ ଯାନୀ(୨୫), ଗୁରୁବାରୁ ଯାନୀ(୨୫), ମୁରଲୀ ଯାନୀ(୬୦), ଫଗୁଣୁ ଯାନୀ(୬୦), ଈଶ୍ୱର ଯାନୀ(୬) ଏବଂ ସୁବାଷ ଯାନୀ(୭)ଙ୍କ ଅସୁସ୍ଥ ହୋଇପଡିଥିଲେ | ସମସ୍ତଙ୍କର ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା | ଏହାପରେ ସମସ୍ତ ଆକ୍ରାନ୍ତଙ୍କୁ ଗତକାଲି ରାତିରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା |

ଆଜି ପୁଣି ମଦଗୁଲୁମି ଗ୍ରାମର ତିନି ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହେବାରୁ ଚିକିତ୍ସା ନିମନ୍ତେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ସେମାନେ ହେଲେ ଦଶମଇଁ ଯାନୀ(୪୫), ସଫେଇ ଯାନୀ(୩୫)ଏବଂ ସବାଇ ଯାନୀ(୨୫) | ଚିକିତ୍ସା ପରେ ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର